ବ୍ୟାଙ୍କ ସୁରକ୍ଷା ନେଇ ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଲୋଚନା

Aug 17, 2018 - 19:02
 143
ଅନୁଗୋଳ, ୧୭/୮(ସକାଳଖବର): ଦୁଇ ଦୁଇଟି ବଡ଼ ବଡ଼ ବ୍ୟାଙ୍କ ଡ଼କାୟତିକୁ ଧରିବା ପରେ ମଧ୍ୟ ତାଙ୍କ ଠାରୁ ଟଙ୍କା ଜବତ ହୋଇପାରୁନାହିଁ । ଏଣେ ଦୀର୍ଘ ଦିନ ଧରି ସଶସ୍ତ୍ର ପୁଲିସ କର୍ମଚାରୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ଼୍ୟୁଟି କରିବାପରେ ଏବେ ସେମାନଙ୍କୁ ହଟାଇବାକୁ ସମୟ ଆସିଛି । ଏଭଳି ସ୍ଥିତିରେ କିଭଳି ବ୍ୟାଙ୍କ ଗୁଡ଼ିକରେ ସୁରକ୍ଷା ବଜାୟ ରହିବ ସେ ନେଇ ପୁଲିସର ଚିନ୍ତା ବଢ଼ିଛି । ଅନୁଗୋଳ ଥାନା ପରିସରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନେଇ ଆଲୋଚନା ହୋଇଛି । ସହରର ପାଖାପାଖି ୨୬ ବ୍ୟାଙ୍କ ପରିଚାଳକ ତଥା ଅନ୍ୟାନ୍ୟ କର୍ମଚାରୀ ସନ୍ଧ୍ୟାରେ ଦୀର୍ଘ ୧ଘଣ୍ଟା ଧରି ଆଲୋଚନା କରିଛନ୍ତି । ବ୍ୟାଙ୍କର ସିସିଟିଭି କ୍ୟାମେରାକୁ ପୁଲିସ ନିଜ କଣ୍ଟ୍ରୋଲ ରୁମରେ ଦେଖି ପାରିବା ଭଳି ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଛି । ସେହିଭଳି ଧରାପଡ଼ିଥିବା ଦୁଇ ଡ଼କାୟତଙ୍କ ପାଖରୁ ନଗଦ ଅର୍ଥ ଜବତ ହୋଇପାରୁନଥିବାରୁ ଚିନ୍ତା ବଢ଼ିଛି । ସେଥିପାଇଁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଆଉ କେଉଁ ରାଜ୍ୟରେ ଥାଇପାରେ ବୋଲି ଅନୁମାନ କରାଯାଉଛି । ଏଣୁ ସମସ୍ତ ବ୍ୟାଙ୍କ ସେମାନଙ୍କର ରାଜ୍ୟ ବାହାରର ଶାଖା ସହ ଯୋଗାଯୋଗ କରି ସେମାନଙ୍କର ଆକାଉଣ୍ଟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ପାଇଁ କୁହାଯାଇଛି । ସେହିଭଳି ଆଲାର୍ମ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କକରିବା ପାଇଁ ଯୋଜନା ହୋଇଛି । ବ୍ୟାଙ୍କରେ ଆଲାର୍ମ ବାଜିଲେ ସିଧାସଳଖ ଥାନାରେ ଯେଭଳି ଜାଣିହେବ ସେ ନେଇ ଇଣ୍ଟରନେଟ ଜରିଆରେ ବ୍ୟବସ୍ଥା କରାଯିବା ଯୋଜନା ରହିଛି । ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କର ନିଜ ନିଜର ମୁଖ୍ୟାଳୟ ସହ ଯୋଗାଯୋଗ କରି ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଅତିରିକ୍ତ ଏସପି ଯଦୁନାଥ ହାଁସଦାଙ୍କ ଅଧ୍ୟକ୍ଷତାରେ ଏସଡ଼ିପିଓ ହରିହର ପାଣି ଓ ଆଇଆଇସି ରମେଶ ବିଶୋଇ ପ୍ରମୁଖ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।