ବ୍ଲକ ଘେରିଲା ବିଜେପି

Oct 29, 2018 - 17:34
 170
ବ୍ଲକ ଘେରିଲା  ବିଜେପି
ଅନୁଗୋଳ, ୨୯/୧୦ (ସକାଳଖବର): ଅନୁଗୋଳ ଭାଜପା ପକ୍ଷରୁ ଆଜି ପୂର୍ବାହ୍ନ ରେ ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଅଫିସକୁ ଘେରାଉ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଦେଖାଦେଇଥିବା ମୌଳିକ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ବିଭିନ୍ନ ଯୋଜନାରେ ପ୍ରିୟା ପ୍ରିତି ତୋଷଣ. ଦୁର୍ନିତିି, ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚଛି । ଯାହାକି ଅଗଣତାନ୍ତ୍ରୀକ ଭାବେ ଶାସକ ଦଳ ରାଜ୍ୟରେ ଶାସନ ଚଳାଇଛି ବୋଲି ଆଜି ବ୍ଲକ ଅଫିସ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶରେ ଭାଜପାର ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ମୀନକେତନ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ଯଯାତି ପଟ୍ଟନାୟକ, ଲୋଚନ ସାହୁ, ପ୍ରତିମା ମିଶ୍ର, ଦିଲ୍ଲିପ ପ୍ରଧାନଙ୍କ ସମେତ ବହୁ ନେତା ଓ ଭାଜପା କର୍ମୀ ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇ ସରକାରଙ୍କୁ ତିବ୍ର ଭର୍ସନା କରିଥିବା ଜଣାଯାଇଛି । ଏଥିସହିତ ଭାଜପାର ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନଙ୍କୁ ପୋଲିସ ପ୍ରଶାସନ ଯେଭଳି ଅନ୍ୟାୟ ଭାବେ ମିଥ୍ୟା ଦଫା ଲଗାଇ ଗିରଫ କରାଯାଇଛି ତାହାକୁ ବିଜେପି ନେତାମାନେ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଖଲାସ କରାଯାଉ ଏବଂ ସାତକୋଶିଆ ଅଞ୍ଚଳରେ ପୋଲିସର ବର୍ବରତା ଓ ଗିରଫଦାରୀ ବନ୍ଦ କରାଯାଉ ବୋଲି ଦାବୀ କରିଥିଲେ । ନଚେତ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ଭାଜପା ନେତା ମାନେ ଚେତାବନୀ ଦେଇଛନ୍ତି । ଆଉ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ୧୬ ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ଯଥା- ୧. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ବନ୍ଦ, ୨.ଦଳୀୟ ମନୋଭାବ ବନ୍ଦ କରି ଚୟନ ତାଲିକା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ,୩. ପୁରାତନ ଏସ.ଏଚ.ଜି ଗୃପ କାହିଁକି ବନ୍ଦ ହେଲା ତାର ଜବାବ ଦିଆଯାଉ, ୪. ଗାଁକୁ ରାସ୍ତା ଓ ପାନୀୟଜଳ ବ୍ୟବସ୍ଥା, ୫. ବେକାର ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି, ୬.ସ୍କୁଲରେ ଶିକ୍ଷକ କେବେ ନିଯୁକ୍ତି କେବେ ପୂରଣ ହେବ, ୭.ଡ଼ାକ୍ତରଖାନାରେ ଡ଼ାକ୍ତର ନିଯୁକ୍ତି କେବେ ଦେବେ,୮. ପାଇଖାନା ନିର୍ମାଣ, ପ୍ରଧାନ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଦେବା ବେଳେ ଲାଞ୍ଚ କାରବାର ବନ୍ଦ କରାଯାଉ, ୯.ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନା ପ୍ରଦାନ କରାଯାଉ, ୧୦. ବାର୍ଦ୍ଧକ୍ୟ, ବିଧବା ଓ ଅସହାୟଙ୍କୁ ଭତ୍ତା ପ୍ରଦାନ, ୧୧. ବନ୍ତଳାରେ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା, ୧୨. ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ, ୧୩. ସାତକୋଶିଆ ଲୋକମାନଙ୍କ ଗିରଫଦାରୀ ବନ୍ଦ କରାଯାଉ, ୧୪. ବାଘୁଣୀ ସୁନ୍ଦରୀକୁ ସ୍ଥାନାନ୍ତର, ୧୫. ବାଘ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରଙ୍କୁ୩୦ଲକ୍ଷ କ୍ଷତିପୂରଣ ଓ ଗୃହପାଳିତ ପଶୁ ପାଇଁ ୫୦ ହଜାର କ୍ଷତିପୂରଣ ପ୍ରଦାନ, ୧୬. ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ନିର୍ମାଣ ଆଦି ଦାବୀ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।