ପୋଖରୀରେ ବୁଡି ଦୁଇ ବାଳିକା ମୃତ

Jul 3, 2018 - 14:20
 143
ନବରଙ୍ଗପୁର, ୩/୭ (ସକାଳଖବର)- ଜିଲ୍ଲାର ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ କୁମୁଡାଗୁଡା ଗ୍ରାମରେ ଆଜି ପୋଖରୀରେ ବୁଡି ଦୁଇ ବାଳିକାଙ୍କର ମୃତୁ୍ୟ ଘଟିଛି । ସେମାନେ ହେଲେ ଜଗନ୍ନାଥ ସାନ୍ତାଙ୍କ ଝିଅ ଚମ୍ପାବତୀ ସାନ୍ତା (୧୧) ଓ ଚଇତନ ସାନ୍ତାଙ୍କ ଝିଅ ନୀଳାବତୀ ସାନ୍ତା (୧୦) । ଆଜି ମଧ୍ୟାହ୍ନରେ ଚମ୍ପାବତୀ ଓ ନୀଳାବତୀ ଅନ୍ୟ ଜଣେ ସାଙ୍ଗ ଦୃପତିଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତାବଶତଃ ଦୁହିଁଙ୍କ ଗୋଡ ଗଭୀର ଜଳରାଶି ମଧ୍ୟକୁ ଖସିଯିବା ଫଳରେ ପାଣିରେ ବୁଡି ଉଭୟଙ୍କର ମୃତୁ୍ୟ ଘଟିଥିଲା । ସେମାନେ ବୁଡି ଯାଉଥିବା ଦେଖି ଦୃପତି ତୁରନ୍ତ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଦୁହିଁଙ୍କ ମୃତଦେହ ଉଦ୍ଧାର କରିଥିଲେ । ଖବର ପାଇ ଝରିଗାଁ ପୋଲିସ ସେଠାରେ ପହଂଚି ଶବ ଜବତ କରବା ସହିତ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।