ବେଙ୍ଗାଲୁରୁ ଡବଲ୍‌ ମର୍ଡର୍‌: ‘ଟେକ୍‌’ କମ୍ପାନିର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତ ଗିରଫ

Jul 12, 2023 - 05:49
 25
ବେଙ୍ଗାଲୁରୁ ଡବଲ୍‌ ମର୍ଡର୍‌: ‘ଟେକ୍‌’ କମ୍ପାନିର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ‘ଟେକ୍‌’ ସଂସ୍ଥାନ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର ‘ଏମ୍‌ଡି’ ଓ ‘ସିଇଓ’ଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ। ପୁଲିସ କହିବା ଅନୁସାରେ, ଉକ୍ତ ବେଙ୍ଗାଲୁରୁ ଫାର୍ମର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। ଚାକିରିରୁ ଇସ୍ତଫା ଦେବା ପରେ ସେମାନେ ନିଜସ୍ବ କମ୍ପାନି ଗଠନ କରିଥିଲେ। କୁହାଯାଉଛି କି, ସେମାନେ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର କର୍ମଚାରୀ ଓ ଗ୍ରାହକମାନଙ୍କୁ ନିଜ କମ୍ପାନି ଆଡ଼କୁ ପ୍ରଲୋଭିତ କରୁଥିଲେ। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର ‘ଏମ୍‌ଡି’ ଫଣୀନ୍ଦ୍ର ସୁବ୍ରମଣ୍ୟ ଓ ‘ସିଇଓ’ ବିନୁ କୁମାରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଇଣ୍ଟର୍‌ନେଟ୍‌ ସେବା ଯୋଗାଉଥିବା ଉକ୍ତ କମ୍ପାନିରେ ଦୁହେଁ କାର୍ଯ୍ୟ କରୁଥିଲେ। ଦୁହିଁଙ୍କ ହତ୍ୟା ଘଟଣାର ପ୍ରମୁଖ ସନ୍ଦିଗ୍ଧ ହେଉଛନ୍ତି ଶବରୀଶ ଓରଫ୍‌ ଜୋକ୍‌ ଫିଲିକ୍ସ୍‌। ଫଣୀନ୍ଦ୍ରଙ୍କ ଉପରେ ତାଙ୍କର ଭୀଷଣ ରାଗ ଥିଲା ବୋଲି କୁହାଯାଉଛି। କମ୍ପାନିରେ ଥିବା ବ‌େଳେ ତାଙ୍କର କାର୍ଯ୍ୟକଳାପକୁ ସେ ତୀବ୍ର ବିରୋଧ କରୁଥିଲେ। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଆଉ ୨ ଜଣଙ୍କର ସମ୍ପୃକ୍ତି ଥିଲା ବୋଲି ପୂର୍ବରୁ ଉତ୍ତର ପୂର୍ବ ବେଙ୍ଗାଲୁରୁର ‘ଡିସିପି’ ଲକ୍ଷ୍ମୀ ପ୍ରସାଦ କହିଥିଲେ। ଆଜି ୩ଜଣଙ୍କୁ ଗିରଫ କରାଯାଇ ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।