ବିଦ୍ୟୁତ୍ ଶ୍ରମିକ , କର୍ମଚାରୀ ଓ ଇଂଜିନିୟର ଏକତା ମଂଚ ପକ୍ଷରୁ ବିକ୍ଷୋଭ

Nov 26, 2018 - 17:40
 166
ବିଦ୍ୟୁତ୍ ଶ୍ରମିକ , କର୍ମଚାରୀ ଓ ଇଂଜିନିୟର ଏକତା ମଂଚ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର, ୨୬/୧୧ (ସକାଳଖବର) ରାଜ୍ୟ ସରକାର ବିଦ୍ୟୁତ୍ ବିଭାଗକୁ ଘରୋଇକରଣ କରିବାକୁ ନେଇଥିବା ନିଷ୍ପତିର ପ୍ରତିବାଦରେ ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ , କର୍ମଚାରୀ ଓ ଇଂଜିନିୟର ଏକତା ମଂଚ ପକ୍ଷରୁ ସୋମବାର ଲୋୟର ପିଏମଜି ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଓଏସଇଯସି ଇଂଜିନିୟରସ୍ ଆସୋସିଏସନ୍ ସଭାପତି ବି.ପି ବସୁମଲ୍ଲିକ କ୍ଷୋଭ ପ୍ରକାଶକରି କହିଛନ୍ତି ଯେ ୧୯୯୬ ମସିହାରେ ହୋଇଥିବା ବିଦ୍ୟୁତ୍ ସଂସ୍କାର ଥିଲା ଶ୍ରମିକ , କର୍ମଚାରୀ ଓ ରାଜ୍ୟ ସ୍ୱାର୍ଥ ବିରୋଧୀ । ଯାହା ଫଳରେ ସରକାର ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏହି କ୍ଷତି ବିଦ୍ୟୁତ୍ ବୋର୍ଡର ବିଭାଜନ ଓ ଘରୋଇକରଣ ଓ ପ୍ରାଂଚାଇଜ୍ ବ୍ୟବସ୍ଥାର ପ୍ରଚଳନ , ସ୍ଥାୟୀ କାମରେ ଆଉଟ୍ ସୋର୍ସିଂ ।ଓ ଠିକା ଶ୍ରମିକ ନିଯୁକ୍ତି , ଶୋଚନୀୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଯୋଗୁଁ କ୍ଷତି ଘଟିଛି । ବର୍ତମାନ ଏହି ସଂସ୍ଥା ଗଭୀର ଆର୍ଥିକ ସଂକଟ ଦେଇ ଗତି କରୁଛି । ଘରୋଇ କମ୍ପାନୀ ମାନେ ପାୱାର ସେକ୍ଟରକୁ ଲୁଟ୍ କରିବା . ଆବଶ୍ୟକୀୟ କର୍ମଚାରୀ ଅଭାବ , ରକ୍ଷଣାବେକ୍ଷଣା ଠିକ୍ ଭାବେ ନହେବା , ବିଦ୍ୟୁତ୍ କ୍ରୟରେ ଅସମର୍ଥତା ଯୋଗୁଁ ବିଦ୍ୟୁତ୍ କାଟ ଓ ବିଭ୍ରାଟ ହେଉଛି ବୋଲିସେ ଅଭିଯୋଗ କରିଛନ୍ତି । ସରକାର ସମସ୍ୟା ସମାଧାନରେ ଅସମର୍ଥ ହୋଇଛନ୍ତି । ୧୫ ହଜାରରୁ ଅଧିକ ଆଉଟ୍ ସୋର୍ସିଂ ଓ ଠିକା ଶ୍ରମିକ ମାନଙ୍କୁ ଲଗାଇ କାର୍ଯ୍ୟ କରାଯାଉଛି । ଏପରିକି ଇଂଜିନିୟର ମାନଙ୍କୁ ତୁରନ୍ତ ସ୍ଥାୟୀ କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ତେଲେଙ୍ଗାନା ବିଦ୍ୟୁତ୍ ବିଭାଗ ୨୩ ହଜାର ଠିକା ଶ୍ରମିକଙ୍କୁ ସ୍ଥାୟୀ କରିଛନ୍ତିି । ସେ ଆହୁରି କହିଛନ୍ତିି ଯେ ବିଦ୍ୟୁତ୍ ବିଭାଗର ଘରୋଇ କରଣ ପାଇଁ ସରକାର ୪ଟି ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ ନିଜ ବା ଗ୍ରୀଡକୋ ଅଧିନକୁ ଆଣିଥିବା ୫୧ ପ୍ରତିଶତ ସେୟାରକୁ ସରକାର ନିଜ ଅଧିନକୁ ଆଣି ପରିଚାଳନା କରିବା ଦରକାର । ନରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ସମସ୍ତ ଘରକୁ ବିଦ୍ୟୁତ୍ ଦେବା , ବିଦ୍ୟୁତ୍ କାଟ ବନ୍ଦ ଓ ବିଦ୍ୟୁତ୍ ସଂସ୍ଥା କୁ ଏକ ଲାଭ ଜନକ ସଂସ୍ଥା କରିବାକୁ ବିଦ୍ୟୁତ୍ ସଂସ୍କାର କରାଯାଇଥିଲା । ୨୩ ବର୍ଷ ବିତିଯାଇଥିଲେ ହେଁ ତାହା ବିଫଳ ହୋଇଛି । ବରଂ ବିଦ୍ୟୁତ୍ ଶୁଳ୍କ ବଢି ଚାଲିଛି , ଏଇଏସ୍ ଓ ରିଲାଏନ୍ସ ଭଳି କମ୍ପାନୀ ବିଦ୍ୟୁତ୍ କ୍ଷେତ୍ରରୁ ହଜାର ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତିି । ଏହି ଅଭିଜ୍ଞତାରୁ ଶିକ୍ଷା ନେଇ ସରକାର ଘରୋଇ କରଣ ବନ୍ଦ କରିବା ସହ ବିଦ୍ୟୁତ୍ ଶୁଳ୍କ ସରକାରୀ ଉଦ୍ୟୋଗରେ ରଖିବାକୁ ଏକତା ମଂଚ ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା କିମ୍ବା ପଙ୍ଗୁ ହେଉଥିବା କର୍ମଚାରୀ ଓ ଇଂଜିନିୟରଙ୍କ ଉତରାଧିକାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ୨୦ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରିବାକୁ ସେମାନେ ଏହି ଦାବିରେ ଦର୍ଶାଇଛନ୍ତିି ।