ବିଦୁ୍ୟତ୍ ବିତରଣକାରୀ କମ୍ପାନୀ ଉପରେ ୩ ହଜାର କୋଟି ଟଙ୍କା ବାକି

Sep 19, 2018 - 18:08
 206
ବିଦୁ୍ୟତ୍ ବିତରଣକାରୀ କମ୍ପାନୀ ଉପରେ ୩ ହଜାର କୋଟି ଟଙ୍କା ବାକି
ଭୁବନେଶ୍ୱର , ୧୯/୯ (ସକାଳଖବର): ବିଶ୍ୱ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାରୁ ୧୩୫୦ କୋଟି ୪୮ ଲକ୍ଷ ଟଙ୍କା ଋଣ ଆଣି ରାଜ୍ୟ ସରକାର ୪ଟି ବିଦୁ୍ୟତ୍ ପରିବଂଟନ କମ୍ପାନୀଙ୍କୁ ଦେଇଛନ୍ତି । ସୁଧ ସହିତ ଏମାନଙ୍କ ଉପରେ ବାକିଆ ଋଣ ପରିମାଣ ୨୯୦୮ କୋଟି ୫୫ ଲକ୍ଷ ଟଙ୍କାରେ ପହଂଚିଲାଣି । ଏମାନେ ଋଣ ବାବଦରେ ସରକାରଙ୍କୁ ମାତ୍ର ୭୮ କୋଟି ୭୭ ଲକ୍ଷ ଟଙ୍କା ପରିଶୋଧ କରିଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ ଏହି ତଥ୍ୟ ଦେଇଛନ୍ତି ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ । ଗତ ମାର୍ଚ୍ଚ ଶେଷ ସୁଦ୍ଧା ନେସ୍କୋ ଉପରେ ୨୪୯ କୋଟି ୧୨ ଲକ୍ଷ ଟଙ୍କାର ମୂଳ ଓ ୧୫୪ କୋଟି ୬୫ ଲକ୍ଷ ଟଙ୍କାର ସୁଧକୁ ମିଶାଇ ୩୯୩ କୋଟି ୭୮ ଲକ୍ଷ ଟଙ୍କା ବାକି ପଡ଼ିଛି । ସେହିପରି ଏହି ସମୟ ସୁଦ୍ଧା ୱେସ୍କୋ ଉପରେ ଋଣ ବାବଦରେ ୨୫୩ କୋଟି ୨୩ ଲକ୍ଷ ଟଙ୍କାର ମୂଳ ଓ ୧୫୪ କୋଟି ୭୦ ଲକ୍ଷ ଟଙ୍କାର ସୁଧକୁ ମିଶାଇ ମୋଟ୍ ୪୦୭ କୋଟି ୯୩ ଲକ୍ଷ ଟଙ୍କା ବାକି ପଡ଼ିଛି । ଶକ୍ତିମନ୍ତ୍ରୀ ପୁଣି କହିଛନ୍ତି ଯେ ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ସେସୁ ଉପରେ ୬୫୪ କୋଟି ୮୪ ଲକ୍ଷ ଟଙ୍କା ମୂଳ ଓ ତାହା ଉପରେ ୧୧୪୨ କୋଟି ୪୫ ଲକ୍ଷ ଟଙ୍କା ସୁଧକୁ ମିଶାଇ ମୋଟ୍ ୧୭୯୭ କୋଟି ୨୯ ଲକ୍ଷ ଟଙ୍କା ବାକି ପଡ଼ିଛି । ଏହି ସମୟ ସୁଦ୍ଧା ସାଉଥ୍କୋ ଉପରେ ୨୦୩ କୋଟି ୨୯ ଲକ୍ଷ ଟଙ୍କାର ମୂଳ ଉପରେ ୧୦୬ କୋଟି ୨୬ ଲକ୍ଷ ଟଙ୍କାର ସୁଧକୁ ମିଶାଇ ମୋଟ୍ ୩୦୯ କୋଟି ୫୫ ଲକ୍ଷ ଟଙ୍କା ବାକି ଗଡୁଛି । ରାଜ୍ୟରେ ବିଜୁଳି ବଂଟନ ଓ ପରିବହନଜନିତ କ୍ଷତି କମାଇବା ପାଇଁ ଓଡ଼ିଶା ସରକାର ବିଶ୍ୱବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ଋଣ ଆଣି ଏହି ବିଦୁ୍ୟତ୍ ବିତରଣ କମ୍ପାନୀମାନଙ୍କୁ ଦେଇଛନ୍ତି । ସାଧାରଣ ବିଦୁ୍ୟତ୍ ଉପଭୋକ୍ତାଙ୍କର ସାମାନ୍ୟ କେଇ ଟଙ୍କାର ବିଦୁ୍ୟତ୍ ବିଲ୍ ବାକି ପଡ଼ିଲେ ଏହି ବିଦୁ୍ୟତ୍ ବିତରଣ ସଂସ୍ଥାମାନେ ଅତି ନିର୍ଦ୍ଧୟ ଭାବେ ସେମାନଙ୍କ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରୁଛନ୍ତି । ତେବେ ରାଜ୍ୟ ସରକାର ଏମାନଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ବିପୁଳ ପରିମାଣର ଋଣ ଆଣି ଯୋଗାଇଥିବା ବେଳେ ସେମାନେ ଋଣ କିସ୍ତି ଖିଲାପ କରୁଥିବା ପରିପ୍ରେକ୍ଷୀରେ କାହିଁକି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଏବେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ।