ଦିଲ୍ଲୀପ , ବିଜୟଙ୍କ ଇସ୍ତଫା ପ୍ରଭାବହୀନ : ବସନ୍ତ

Nov 30, 2018 - 17:37
 182
ଦିଲ୍ଲୀପ , ବିଜୟଙ୍କ ଇସ୍ତଫା ପ୍ରଭାବହୀନ : ବସନ୍ତ
ଭୁବନେଶ୍ୱର, ୩୦/୧୧(ସକାଳଖବର): ବିଜେପିରୁ ବରିଷ୍ଠ ବିଧାୟକ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।କେନ୍ଦ୍ର କେବେ ସେମାନଙ୍କୁ ଅବହେଳା କରିନାହିଁ କିମ୍ବା ବିଜେପି କାହାରିକୁ ଅଣଦେଖା କରେ ନାହିଁ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବିଜେପିର କାଚ ଘର ଭାଙ୍ଗି ଚୁର ମାର ହୋଇଯାଇଛି । କାଚ ଘରେ ରହି ବିଜେପି ଅନ୍ୟ ଘରକୁ ଟେକା ଫୋପାଡୁଥିଲା । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତିି ଯେ ଦଳ କେବେ ବି ଉଭୟଙ୍କୁ ଅଣଦେଖା କରିନାହିଁ । ବିଜୟ ମହାପାତ୍ର ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିର ସଦସ୍ୟ ଥିଲେ ହେଁ କୌଣସି ବୈଠକରେ ଯୋଗ ଦେଇ ନାହାନ୍ତି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ର ଯେଉଁ ଆଳ ଦେଖାଇଛନ୍ତି ତାହା ବାହାନା । ଅନ୍ୟମାନଙ୍କ ସହ ମିଶି କାମ କରିବା ତାଙ୍କ ରକ୍ତରେ ନାହିଁ । ଆମର ଇସ୍ତଫାକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଚର୍ଚ୍ଚା ବାଟରେ ରଖାଯାଉ । ସେ କହିଛନ୍ତି ଯେ ବିଜୟଙ୍କ ଡିଏନଏରେ ଗୋଷ୍ଠୀ ରହିଛି । ସେ ଯେଉଁ ଦଳକୁ ଯିବେ ସେଠାରେ ଗୋଷ୍ଠୀ କରିବେ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ କହିଛନ୍ତି ଯେ ଉଭୟଙ୍କ ଇସ୍ତଫା ଫଳରେ ରାଜ୍ୟ ରାଜନୀତିରେ ଏକ ନୂଆ ମୋଡ ଆସିବ । ଉଭୟଙ୍କ ପାଇଁ କଂଗ୍ରେସର ଦ୍ୱାର ଖୋଲା ରହିଛି । ସେମାନେ କଂଗ୍ରେସ ଆସିବାକୁ ଚାହିଁଲେ ସ୍ୱାଗତ କରାଯିବ । ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ବିଜେପିର ଦୋମୁହାଁ ନୀତି ଧରାପଡିଛି । ଦଳର ଅସଲ ଚେହେରା ପଦାକୁ ଆସିଛି । ସେମାନେ ବିଜେଡିରେ ଯୋଗ ଦେବା ବା ନଦେବା ନେଇ ଦଳର ,ସୁପ୍ରିମୋ ନିଷ୍ପତି ନେବେ ।