ବିଜେଡ଼ିରୁ ଡ଼ା.ଦେବାଶିଷ ମାର୍ଣ୍ଡିଙ୍କୁ ମିଳିଲା ଟିକଟ

Mar 29, 2019 - 05:35
 174
ବିଜେଡ଼ିରୁ ଡ଼ା.ଦେବାଶିଷ ମାର୍ଣ୍ଡିଙ୍କୁ ମିଳିଲା ଟିକଟ
ବାରିପଦା,୨୮/୩(ସକାଳଖବର): ୫ ନମ୍ବର ମୟୂରଭଞ୍ଜ(ଏସଟି) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ମେ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ ମତଦାନ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୭ ଗୁରୁବାର ମୟୂରଭଞ୍ଜ ଲୋକସଭା ନିମନ୍ତେ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କ ନାମ ଘୋଷଣା କରିବା ପରେ ବିଜେଡ଼ି କର୍ମୀ ଓ ସମର୍ଥକମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ଡ଼ା. ମାର୍ଣ୍ଡିଙ୍କୁ ନେଇ ସମସ୍ତଙ୍କ ମନରେ ଖେଳାଇ ହୋଇପଡ଼ିଛି ହସ ଓ ଖୁସୀର ଲହରୀ । ମାର୍ଚ୍ଚ ୨୮ ଶୁକ୍ରବାର ପୂର୍ବାହ୍ନରେ ବିଜେଡ଼ିର ଲୋକସଭା ପ୍ରାର୍ଥୀ ଡ଼ା.ମାର୍ଣ୍ଡି ବାରିପଦା ପୌରପରିଷଦର ବିଜୁ ଗୋଲେଇରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ତଥା ବିଜୁ ଭବନ ପରିସରରେ ଥିବା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ଆଦି ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ ଏବଂ ରଘୁନାଥ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଡ଼ା.ମାର୍ଣ୍ଡି ବାରିପଦାସ୍ଥିତ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ତଥା ବିଜୁ ଭବନରେ ପହଁଞ୍ଚିବା ଖବର ପ୍ରଚାରିତ ହେବା ପରେ ବିଜୁ ଭବନ ପରିସରରେ ବିଜୁ ଜନତା ଦଳ ସହ ଯୁବ , ଛାତ୍ର, ମହିଳା ଓ ସଂଖ୍ୟାଲଘୁ ମୋର୍ଚ୍ଚାର ଦଳୀୟ କର୍ମୀ ଓ ସମର୍ଥକମାନଙ୍କର ଗହଳିଚହଳି ଆରମ୍ଭ ହୋଇଯାଇଥିବାର ପରିଲକ୍ଷିତ ହୋଇଥିଲା । ସମସ୍ତେ ଫୁଲ ତୋଡ଼ା ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ନିର୍ବାଚନରେ ତାଙ୍କର ବିଜୟ କାମନା କରିଥିଲେ । ଏହା ବ୍ୟତୀତ ଡ଼ା.ମାର୍ଣ୍ଡିଙ୍କ ସହିତ ସେଲଫି ନେବା ନିମନ୍ତେ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ବିଜଦର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଡ଼ା.ମାର୍ଣ୍ଡି ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଟିକଟ ଦେଇଥିବାରୁ ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟର ଏକ ନମ୍ବର ଜିଲ୍ଲାରେ ପରିଣତ କରାଇବା ନିମନ୍ତେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିରେ ଗୁଣ୍ଡୁଚି ମୂଷା ଭାବେ ନିଜକୁ ସମର୍ପିତ କରାଇବା ସଂଗେସଂଗେ ତାଙ୍କ ପ୍ରତି ରଖିଥିବା ଗଭୀର ବିଶ୍ୱାସ, ଆସ୍ଥାକୁ ଅତୁଟ ରଖିବେ ବୋଲି କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ଆମ ସମସ୍ତଙ୍କର ଆଦର୍ଶ ଅଟନ୍ତି । ତାଙ୍କ ନେତୃତ୍ୱରେ କାର୍ଯ୍ୟ କରବାରେ ଯେଉଁ ନିଆରା ଆନନ୍ଦ ରହିଛି, ତାହା ଅନ୍ୟ କେଉଁଠି ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶା ବିକାଶ କ୍ଷେତ୍ରରେ ଏକ ବିପ୍ଳବ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ‘ଓଡ଼ିଶାବାସୀଙ୍କ ବଳ, ବିଜୁ ଜନତା ଦଳ ଏବଂ ମାକୁ ସମ୍ମାନ , ଗାଁକୁ କାମ’ ଗୁରୁମନ୍ତ୍ରକୁ ଗ୍ରହଣ କରିବା ସହିତ କାର୍ଯ୍ୟରେ ପରିଣତ କରାଇ ସଫଳତାର ବାର୍ତ୍ତା ପୁରପଲ୍ଲୀରେ ପହଁଞ୍ଚାଇବା ମୋର ଲକ୍ଷ । ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାରର ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ସାମାଜିକ, ସାଂସ୍କୃତିକ ଉନ୍ନତି ବିଧାନ ଏବଂ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ୨୦୦୯ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ । ଉକ୍ତ ପରିଷଦରେ ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ଭାବେ ଡ଼ା.ମାର୍ଣ୍ଡିଙ୍କୁ ନିଯୁକ୍ତ ଦେଇଥିଲେ । ଏହାଫଳରେ ଆଦିବାସୀ ସମ୍ପ୍ରଦାୟରେ ବିଲୁପ୍ତ ପ୍ରାୟ ହେବାକୁ ଯାଉଥିବା ଲୋକନୃତ୍ୟ, ମାଦଳର ଦିତାମ୍ ଦିତାମ୍ ନାଦ ଆଜି ଗୁଞ୍ଜରିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନ ବ୍ୟବସ୍ଥାରେ ଆଦିବାସୀ ସମ୍ପ୍ରଦାୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ସେହିପରି ନିର୍ବାଚନରେ ନିର୍ବାଚିତ ହେଲେ ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ ଜିଲ୍ଲାରେ ବୃହତ୍ତ ଶିଳ୍ପ ପ୍ରତିଷ୍ଠା, ରେଳବାଇ କ୍ଷେତ୍ରରେ ବାଙ୍ଗିରିପୋଷି-ବାଦାମପାହାଡ଼-ଟାଟାନଗର ଓ ବୁଢ଼ାମରା-ଚାକୁଳିଆ ରେଳପଥ ସମ୍ପ୍ରସାରଣ, ପର୍ଯ୍ୟଟନ ଶିଳ୍ପର ବିକାଶ ଆଦି ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ବାରମ୍ବାର ପାର୍ଲିଆମେଣ୍ଟରେ ଉପସ୍ଥାପିତ କରାଇ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ନିମନ୍ତେ ବଜେଟରେ ଅର୍ଥ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ମୟୂରଭଞ୍ଜବାସୀଙ୍କ ସ୍ୱପ୍ନକୁ ସାକାର କରାଇବି ବୋଲି କହିଥିଲେ । ଏହା ବ୍ୟତୀତ ନିର୍ବାଚନରେ ବିରୋଧୀକୁ କେଉଁ ଭାବେ ଗ୍ରହଣ କରୁଛନ୍ତି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନ ବ୍ୟବସ୍ଥାରେ ରାଜ୍ୟରେ ବିରୋଧୀ ଦଳ ଥିବା ଭଳି ଲାଗୁ ନାହିଁ ବୋଲି ଡ଼ା. ମାର୍ଣ୍ଡି ସୂଚନା ଦେଇଥିଲେ ଏବଂ ବିଭିନ୍ନ କ୍ଷେତ୍ରରୁ କେନ୍ଦ୍ର ଓଡ଼ିଶାରୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଥିବା ବେଳେ ଓଡ଼ିଶା ପ୍ରତି ରହିଥିବା ବୈମାତୃକ ମନୋଭାବକୁ ତୀବ୍ର ଭାବେ ସମାଲୋଚନା କରିଥିଲେ । ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଜାରି ରହିଥିବା ବିକାଶର ଧାରା, ଜନସାଧାରଣଙ୍କ ହିତରେ କାର୍ଯ୍ୟକାରୀ କରାଯାଇଥିବା ଜନକଲ୍ୟାଣକାରୀ ଯୋଜନାର ସଫଳତା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, କେନ୍ଦ୍ରିୟ ଅନୁଦାନରେ କାଟଛାଟ, ବଜେଟରେ ଓଡ଼ିଶାକୁ ଅଣଦେଖା ସହ ମୂଲ୍ୟବୃଦ୍ଧି, ଧାନର ସହାୟକ ମୂଲ୍ୟ ବୃଦ୍ଧି କରାନଯିବା, ବିମୂଦ୍ରାକରଣ, ବ୍ୟାଙ୍କ ଜମାଖାତାରୁ ସର୍ବନିମ୍ନ ଜମାରାଶି ନାମରେ ଟଙ୍କା ଲୁଟିବା , ବିଦେଶରୁ କଳାଧନ ଫେରାଇ ଆଣିବା, ବ୍ୟାପମ ଦୁର୍ନୀତି, ବର୍ଷକୁ ୨ କୋଟି ନିଯୁକ୍ତି ଆଦିକୁ ନେଇ ବିଜେପି ଏବଂ ଅତୀତରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ସମୟରେ ଦୁର୍ନୀତି , ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ବାକ୍ ସ୍ୱାଧୀନତା ଅପହରଣ, ଜରୁରୀ କାଳୀନ ପରିସ୍ଥିତି ଇତ୍ୟାଦିକୁ ମୁଖ୍ୟ ଆୟୁଧ କରି ଜନତାଜନାର୍ଦ୍ଧନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ । ଏହି ଅବସରରେ ଉପସ୍ଥିତ ମହିଳା କର୍ମୀମାନେ ଡ଼ା.ମାର୍ଣ୍ଡି ସହ ହାତକୁ ହାତ ମିଶାଇ ଏକତାରେ ବାନ୍ଧି ହୋଇ କାର୍ଯ୍ୟ କରିବେ ବୋଲି ଶପଥ ନେଉଥିବାର ଦେଖିବାକୁ ମିଳିଥିଲା ।