ବିଜେଡ଼ି ବିଧାୟିକା ଟୁକୁନି ସାହୁଙ୍କୁ ବିରୋଧ

Apr 15, 2019 - 06:16
 137
ଟିଟିଲାଗଡ଼, ୧୪/୪(ସକାଳଖବର): ଟିଟିଲାଗଡ଼ର ୧୪ ନଂ ୱାଡର଼୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇଥିବା ବେଳେ ଆଜି ବିଜେଡ଼ି ବିଧାୟିକା ଟୁକୁନି ସାହୁଙ୍କୁ ଭୋଟରଙ୍କ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଥିଲା । ପରେ ପୋଲିସ ସେଠାରେ ପହଂଚି ତାଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ଚଳିତ ନିର୍ବାଚନରେ ବିଜେଡ଼ି ଟିକେଟ୍ ରେ ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ଆଜି ଟିଟିଲାଗଡ଼ର ୧୪ ନଂ ୱାଡର଼୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇଥିବା ବେଳେ ସେଠାରେ ତାଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ । ଗତ ୫ ବର୍ଷ ମଧ୍ୟରେ ସେମାନଙ୍କ ଅଂଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିବା ସହ ଏଥି ପାଇଁ ସେମାନେ ବିଧାୟିକାଙ୍କ ଅପାରଗତାକୁ ଦାୟୀ କରିଥିଲେ । ବିଜେଡ଼ି ଗୋ ବ୍ୟାକ୍, ଟୁକୁନି ସାହୁ ମୁର୍ଦ୍ଧାବାଦ୍ କହି ନାରାବାଜି କରିଥିଲେ । ବିଧାୟିକାଙ୍କୁ ୫ ବର୍ଷର ହିସାବ ମାଗି ଘେରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ବିଧାୟିକାଙ୍କୁ ସେଠାରୁ ଉଦ୍ଧାର କରିଥିଲା । ପ୍ରକାଶ ଥାଉକି, ଏହା ପୂର୍ବରୁ ଶିଭ୍ରଟାପଡାରେ ବିକାଶର ପ୍ରଶ୍ନ ନେଇ ଅନୁରୂପ ଭାବେ ଲୋକେ ତାଙ୍କୁ ଘେରିଥିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା । ନିର୍ବାଚନ ସମୟରେ ଲୋକଙ୍କ ଏଭଳି ବିରୋଧ ପ୍ରଦର୍ଶନ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।