ବିଜେଡ଼ି ଚଳାଉଛନ୍ତି ଦେବାଶିଷ, ବବି, ଅରୁଣ ଓ ପାଣ୍ଡଆନ - ଦାମ
ଭୁବନେଶ୍ୱର, ୧୧/୯ (ସକାଳଖବର): ଗୋଟିଏ ପରେ ଗୋଟିଏ କଥା କହି ଦଳରେ ବିସ୍ପୋରଣ ସୃଷ୍ଟି କରୁଛନ୍ତି ବିଜେଡି ବିଧାୟକ ଡା.ଦାମୋଦର ରାଉତ । ବିଜେଡି କିପରି ଚାଲୁଛି ଏହାର ଗୁମର ଖୋଲିଛନ୍ତି ଆଜି ଶ୍ରୀ ରାଉତ । ଶ୍ରୀ ରାଉତ କହିଛନ୍ତି ବିଜେଡି ଚଳାଇଥିବାର ନେତୃତ୍ୱ ନେଉଛନ୍ତି ଜଣେ ଆଇଏଏସ ଅଫିସର । ଆଉ ଦଳ ପରିଚାଳନା କରୁଛନ୍ତି ବିଧାୟକ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ (ବବି) ଓ ଦେବାଶିଷ ସାମନ୍ତରାୟ ।
ଦାମଙ୍କ କହିବା ଅନୁସାରେ ତାଙ୍କୁ ଜାଣିଜାଣି ମନ୍ତ୍ରୀପଦରୁ କଢାଗଲା । ଦଳର ଉପସଭାପତି ପଦରୁ କଢାଗଲା । ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବି ବାହାର କଲେ । ତାଙ୍କ ପାଖରେ ଆଉ କ'ଣ ଅଛି, କି ତାଙ୍କୁ ବାହାର କରିବେ । ସେ ଆଉ ସେ ଦଳରେ ନାହାନ୍ତି । ସମସ୍ତ କଥା ଦଳର ସଭାପତି ଜାଣିଛନ୍ତି । ସେ ଯାହା କରିବା କଥା କରିବେ ।
ସେ କହିଛନ୍ତି,ରାଜ୍ୟ ସରକାର ପ୍ରତିବର୍ଷ ଜଗତସିଂହପୁର ଜିଲ୍ଲାକୁ କୋଟିଏ ୧୪ ଲକ୍ଷ ଟଙ୍କାର ଗୋଟିଏ "କ୍ରିଟିକାଲ ଫଣ୍ଡ' ଦିଅନ୍ତି । ଜଗତସିଂହପୁରରେ ୪ଟି ର୍ନିବାଚନମଣ୍ଡଳୀ ଅଛି । ଚେୟାରମ୍ୟାନ ପ୍ରଶାନ୍ତ ମୁଦୁଲି ତିନିବର୍ଷ ହେଲା ମୋ ର୍ନିବାଚନ ମଣ୍ଡଳୀକୁ ଗୋଟିଏ ନୂଆ ପଇସା କି ଟଙ୍କା ଦେଇ ନାହାନ୍ତି ।
ଦାମ କହିଛନ୍ତି,ବିଷ୍ଣୁ ଚରଣ ଦାସ ବିଧାୟକ ହୋଇପାରି ନାହାନ୍ତି । ରାଜ୍ୟସଭାକୁ କେଇ ଦିନ ଯାଇଥିଲେ,ସେଠି କ'ଣ ପଡ଼ିଗଲେ,ରକ୍ତ ବାହାରିଲା । ସେଇଠୁ ପଳାଇ ଆସିଲେ । ତାଙ୍କୁ ପ୍ଲାନିଂବୋର୍ଡର ଚେୟାରମ୍ୟାନ କରାଯାଇଛି । ଓଡ଼ିଶା ପ୍ଲାନିଂ ବୋର୍ଡର ଆନୁଆଲ ପ୍ଲାନ୍ କେତେ ସେ କହିପାରିବେ କି ନାହିଁ ସେ ତାହା ଜାଣି ନାହାନ୍ତି ବୋଲି କହିଛନ୍ତି ।
ଏଠାରେ ଉଲେଖଯୋଗ୍ୟ ଯେ, ବିଜେଡି ମୁଖିଆ ଚକ୍ରବ୍ୟୁହରେ ରହିଥିବା କଥା କହି କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ବିଧାୟକ ଶ୍ରୀ ରାଉତ । ତେବେ ଏହି ନେତାମାନଙ୍କ ନାଁକୁ ଗଣମାଧ୍ୟମ ଆଗରେ ପ୍ରକାଶ କରି ପୁଣି ଦଳରେ କମ୍ପନ ସୃଷ୍ଟି କରିଛନ୍ତି ଶ୍ରୀ ରାଉତ ।