ବାର କାଉନସିଲ ନିର୍ବାଚନ ମାମଲାର ସୋମବାର ଶୁଣାଣି
କଟକ, ୨୬ ।୪: ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ପଦବି ଉପ ନିର୍ବାଚନ ମାମଲା ଉପରେ ଗୁରୁବାର ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଆତ୍ମା ପ୍ରକାଶ ମହାନ୍ତିଙ୍କ ପକ୍ଷରୁ ଦାୟର ରିଟ ପିଟିସନରେ ୧୦ନମ୍ବର ପକ୍ଷଙ୍କ ନାଁ ନଥିଲା । ତେଣୁ କୋର୍ଟ ତାକୁ ଆମେଣ୍ଡମେଣ୍ଟ କରିବା ପାଇଁ ଦର୍ଶାଇଥିଲେ । ଅନ୍ୟପକ୍ଷରେ ମାନସ ଚାନ୍ଦଙ୍କ ପକ୍ଷରୁ ପ୍ରତି ଜବାବ ରଖାଯାଇଥିଲା । ମାନସ ମହାପାତ୍ର ଇସ୍ତଫା ଦେଇଛନ୍ତି, ୪ଥର ପରିଷଦ ବୈଠକରେ ବସି ଦସ୍ତଖତ କରିଛନ୍ତି ବୋଲି ଦର୍ଶାଇ ତାଙ୍କ ପକ୍ଷରୁ ଦାଖଲ ପିଟିସନ ବିଭ୍ରାନ୍ତିକର ବୋଲି ଦାଖଲ ହୋଇ ପ୍ରତି ଜବାବରେ ଦର୍ଶାଯାଇଛି । ଏହି ମାମଲାରେ ଶୁଣାଣି କରି କୋର୍ଟ ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ପଦବିରୁ ମାନସ ମହାପାତ୍ର ଗତ ଜୁଲାଇ ମାସ ୭ତାରିଖରେ ଇସ୍ତଫା ପ୍ରଦାନ କରିଥିଲେ । ସର୍ବସମ୍ମତିକ୍ରମେ ତାଙ୍କ ଇସ୍ତଫାକୁ ଗୃହୀତ କରାଯାଇଥିଲା । ଏହାପରେ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ କରିବା ପାଇଁ ଆଡଭୋକେଟ ଜେନେରାଲଙ୍କ ନିକଟରେ ବାର ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାପରେ ଏଜିଙ୍କ ପକ୍ଷରୁ ଜାନୁୟାରୀ ମାସ ୨୧ତାରିଖରେ ନିର୍ବାଚନ କରିବା ପାଇଁ ଦିନଧାର୍ଯ୍ୟ କରାଯାଇଥିଲା । ତେବେ ନିର୍ବାଚନରେ ବିଶୃଙ୍ଖଳା ହେବା ଆଶଙ୍କା କରି ବାର ସଦସ୍ୟ ମାନସ କୁମାର ଚାନ୍ଦ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ନିର୍ବାଚନ ସମୟରେ ସିସିଟିଭି ବ୍ୟବସ୍ଥା, ହାଇକୋର୍ଟଙ୍କ ପକ୍ଷରୁ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ପ୍ରଦାନ ସହ ନିର୍ବାଚନ ସମୟରେ ସୁରକ୍ଷା ଦେବା ପାଇଁ ପ୍ରାର୍ଥନା କରି ମାମଲା ରୁଜୁ କରିଥିଲେ । ଏଥିରେ ବାରର ସମସ୍ତ ସଦସ୍ୟ, ଆଡଭୋକେଟ ଜେନେରାଲ, ଗୃହ ବିଭାଗ ସଚିବ ଓ ବାର କାଉନସିଲ ସଂପାଦକଙ୍କୁ ପକ୍ଷଭୁକ୍ତ କରିଥିଲେ । ସେହିପରି ଆଉ ଜଣେ ସଦସ୍ୟ ଆତ୍ମା ପ୍ରକାଶ ମହାନ୍ତିଙ୍କ ପକ୍ଷରୁ ଏକ ମାମଲା ରୁଜୁ କରି ନିର୍ବାଚନ କରିବାରେ ଏଜିଙ୍କ କୌଣସି ଆଇନଗତ କ୍ଷମତା ନାହି ବୋଲି ଦର୍ଶାଇ ଆଉ ଏକ ମାମଲା ରୁଜୁ କରିଥିଲେ । ତେବେ ହାଇକୋର୍ଟ ଉଭୟ ମାମଲାର ଏକତ୍ର ଶୁଣାଣି କରି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରି ସମସ୍ତ ବାର କାଉନସିଲ ସଦସ୍ୟଙ୍କୁ ନୋଟିସ ଜାରି କରିବା ସହ ଜବାବ ରଖିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେବେ ଆବେଦନକାରୀ ମାନସ ଚାନ୍ଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ ଓ ଆତ୍ମା ପ୍ରକାଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସ, ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।