ଝାରସୁଗୁଡାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

Jan 30, 2023 - 07:57
 49
ଝାରସୁଗୁଡାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର
ଝାରସୁଗୁଡା: ଝାରସୁଗୁଡାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରେ ନବଙ୍କ ପାର୍ଥିବ ଶରୀର ପହଞ୍ଚିଛି । ଶେଷ ଦର୍ଶନ ପାଇଁ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ ଲାଗି ରହିଛି । ସମସ୍ତଙ୍କ ଆଖିରେ ଲୁହ । ସେମାନେ ବିଶ୍ୱାର କରିପାରୁ ନାହାନ୍ତି ନବ ଦାସ ଆଉ ନାହାନ୍ତି ।ଯେଉଁ ପୋଲିସକୁ ବିଶ୍ୱାସ କରିଥିଲେ , ସେ ଏପରି କାମ କରିଥିବାରୁ ତାଙ୍କୁ ଦୃଢ ନିନ୍ଦା କରିଛନ୍ତି । ଏବଂ ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ସରବାହାଲ ସ୍ଥିତ ବାସଭବନକୁ ମରଶରୀର ନିଆଯିବ । ଶେଷ ଦର୍ଶନ ଓ ଶୋଭାଯାତ୍ରା ପରେ ଅନ୍ତିମ ସଂସ୍କାର କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ସମସ୍ତେ ଆବାକ୍, ସମସ୍ତେ ସ୍ତବ୍ଧ । ହଠାତ୍ ଏମିତି ଅଘଟଣ ହୋଇଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ପୂରା ଓଡ଼ିଶା ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ନବଙ୍କ ପରିବାର ଆଖିରୁ ଲୁହ ଶୁଖୁନି, କୋହ କମୁନି । କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ । ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ । ଆପୋଲୋ ହସ୍ପିଟାଲ୍‌ରେ ପରଲୋକ ହେଲା ପରେ ତାଙ୍କ ମରଶରୀରର ପୋଷ୍ଟମର୍ଟମ୍‌ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଅଣାଯାଇଥିଲା । ସେଠାରେ କ୍ରାଇମ୍‌ବ୍ରାଞ୍ଚ୍ର ଏକ ଟିମ୍‌ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିଲା । ଏହା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଳମ୍ବିତ ରାତିରେ ମରଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା । ସେଠାରେ ରାତିତମାମ ବହୁ ଶୁଭେଚ୍ଛୁ, ସମର୍ଥକ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ମଧ୍ୟ ଦଳୀୟ କାର୍ୟ୍ୟାଳୟରେ ନେତା ଓ କର୍ମୀ ଶେଷ ଦର୍ଶନ କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ତାଙ୍କର ସରକାରୀ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ସେ ନବଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘର ଭିତରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବି ନବ କିଶୋର ଦାସଙ୍କର ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନବ ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି ।