ବିଜେଡ଼ିର ନିକଟତର ବିଜୟ, ଦିଲୀପ

Nov 27, 2018 - 18:33
 360
ବିଜେଡ଼ିର ନିକଟତର ବିଜୟ, ଦିଲୀପ
ଭୁବନେଶ୍ୱର, ୨୭/୧୧(ସକାଳଖବର): ବିଜେପିର ୨ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କୁ ନେଇ ରାଜନୈତିକ କଳ୍ପନାଜଳ୍ପନା ଏବେ ଜୋର ଧରିଛି । ଏ ଆଲୋଚନା ଏବେକାର ନୁହେଁ, ଦୀର୍ଘ ଦିନ ଧରି ଉଭୟଙ୍କୁ ନେଇ ବିଭିନ୍ନ ଅଟକଳ ଜାରି ରହିଛି । ଗତ ସାଧାରଣ ନିର୍ବାଚନ ପରେ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆବିର୍ଭାବ ପରଠାରୁ ୨ ନେତା କ୍ରମଶଃ ଦଳଠାରୁ ଦୂରେଇ ଦୂରେଇ ଯାଇଛନ୍ତି । ମାନ, ଅଭିମାନ ତଥା ଦାମ୍ଭିକତା ମଧ୍ୟରେ ଦୁଇ ନେତା ଦଳରୁ କୋଣଠେସା ହୋଇଯାଇଛନ୍ତି । ଗତ କିଛିବର୍ଷ ଧରି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚକୁ ଅତ୍ୟାଧୁନିକ ଡ଼ାକ୍ତରଖାନାରେ ପରିଣତ କରିବା ନେଇ ରାଉରକେଲା ବିଧାୟକ ଭାବେ ଦିଲୀପ ଆନେ୍ଦାଳନ ଚଳାଇଛନ୍ତି । ଏହି ଆନେ୍ଦାଳନ ମୋଟାମୋଟି ବିଜେପି ବିରୋଧରେ ଯାଉଛି ବୋଲି କୁହାଯାଇପାରେ । ଏହି ପରିପ୍ରେକ୍ଷୀରେ ‘ଆଗ ମାଟି, ପଛେ ପାର୍ଟି’ ବୋଲି ରାଉରକେଲା ବିଧାୟକ କହି ସାରିଛନ୍ତି । ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ରାଉରକେଲାର ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଗତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ହୋଇପାରିଲା ନାହିଁ । ତେଣେ ବିଜୟ ମହାପାତ୍ର ଆଇଓସିଏଲ ନିଯୁକ୍ତିଠାରୁ ଆରମ୍ଭ କରି ମହାନଦୀ ସମସ୍ୟା ନେଇ ବିଭିନ୍ନ ପ୍ରସଙ୍ଗରେ ଯେଉଁ ମତାମତ ଦେଇ ଆସୁଛନ୍ତି ତାହା ଦଳ ପ୍ରତି କ୍ଷତି ପହଞ୍ଚାଉଥିବା ରାଜ୍ୟ ବିଜେପି କର୍ତ୍ତୃପକ୍ଷ ଅନୁଭବ କରୁଛନ୍ତି । ଏଥିଯୋଗୁଁ ବିଜୟ ଦଳରୁ କୋଣଠେସା ହୋଇ ପଡ଼ିଛନ୍ତି, ଅଥବା ତାଙ୍କ ପ୍ରତି ଦଳର ହାବଭାବ ନେଇ ସେ ଦଳଠାରୁ ଦୂରତା ରକ୍ଷା କରିଛନ୍ତି । ଇତିମଧ୍ୟରେ ଉଭୟ ନେତା ନିଜ ତରଫରୁ ଦଳ ପରିତ୍ୟାଗ କରିବା ପାଇଁ ଇଚ୍ଛା ପ୍ରକାଶ କରିବା ଫଳରେ ସେମାନେ କେଉଁ ଦଳକୁ ଯିବେ ସେଥିନେଇ ଚର୍ଚ୍ଚା ଜୋର ଧରିଛି । ବିଜୟ ବାବୁ ପୂର୍ବରୁ ନିଜସ୍ୱ ରାଜନୈତିକ ଦଳ ଗଢ଼ିଛନ୍ତି । ଓଜିପି ଚଳାଇବାର ତିକ୍ତମଧୁର ଅନୁଭୂତି ସେ ଲାଭ କରିଛନ୍ତି । ଏବେ ତାଙ୍କ ଦଳ ନିଷ୍କ୍ରିୟ । ତେଣୁ ଏହା ପୁନରୁଦ୍ଧାରର ସମ୍ଭାବନା ନାହିଁ । ଏନ୍ସିପି ବାଟ ଦେଇ ବିଜୟ ବାବୁ ବିଜେପିକୁ ଆସିଛନ୍ତି । ଦିଲୀପ ବାବୁ କଂଗ୍ରେସ ବାଟ ଦେଇ ବିଜେପିକୁ ଆସିଛନ୍ତି । ତେବେ ଉଭୟଙ୍କର ମୂଳ ଦଳ ହେଉଛି ବିଜେଡ଼ି । ତେଣେ ଉଭୟ ନେତା ରାଜ୍ୟର ବିଜେଡ଼ି ସରକାର ବିରୋଧରେ ଗତ କିଛି ବର୍ଷ ହେଲା ସେଭଳି କିଛି ମନ୍ତବ୍ୟ ଦେଉନାହାଁନ୍ତି । ବରଂ ଦିଲୀପ ବାବୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି । ଯଦି ଅତୀତକୁ ଫେରିବା ତାହାଲେ ବିଭିନ୍ନ ପରିସ୍ଥିତି ଓ ଆବଶ୍ୟକତା ଯୋଗୁଁ ଉଭୟଙ୍କୁ ବିଜେଡ଼ିରୁ ଦୂରେଇ ଦିଆଯାଇଥିଲା । ଦିଲୀପ ବାବୁ କଂଗ୍ରେସରୁ ଆସିଥିବାରୁ ସେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ସପକ୍ଷରେ ନାହାଁନ୍ତି । ବିଜୟ ବାବୁ ଅନ୍ୟ କୌଣସି ଦଳକୁ ଯିବା ଅପେକ୍ଷା ରାଜନୈତିକ ସନ୍ୟାସ ନେବାକୁ ଶ୍ରେୟସ୍କର ମନେକରିବେ । ଏଣେ ଦୀର୍ଘ ବର୍ଷ ମଧ୍ୟରେ ବିଜେଡ଼ିରେ ଅନେକ ଘଟଣା ଘଟିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିରଙ୍କୁଶ ଶାସନ କ୍ଷମତା ଉପଭୋଗ କରିସାରିଛନ୍ତି । ତାଙ୍କ ବ୍ୟକ୍ତିତ୍ୱ ଏବେ ଶୀର୍ଷରେ । ଆଗାମୀ ଦିନରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କିଛି ସମର୍ଥ ତଥା ଦକ୍ଷ ବ୍ୟକ୍ତିଙ୍କୁ ଦଳକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାଙ୍କୁ ଏବେ ପରାମର୍ଶ ଦେଉଛନ୍ତି । ଏହି ବ୍ୟକ୍ତିଙ୍କ ମଧ୍ୟରେ କୁଆଡେ଼ ଏବେ ବିଜୟ ଓ ଦିଲୀପ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ପ୍ରତି ସକରାତ୍ମକ ମନୋଭାବ ରଖିଥିଲେ ମଧ୍ୟ କୌଣସି ସ୍ପଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରି ନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରିବାର ସହ ଦିଲୀପଙ୍କ ସଂପର୍କ ଭଲ ରହିଛି । ତେଣୁ ଅଚ୍ୟୁତ ସାମନ୍ତ ଓ ସୌମ୍ୟ ରଂଜନଙ୍କୁ ମୁଖ୍ୟମନ୍ତ୍ରୀ ରାତାରାତି ଯେପରି ଦଳୀୟ ନେତା ଓ ସାଂସଦରେ ପରିଣତ କରିଦେଲେ, ଅନୁରୂପ ଭାବେ ଏଦୁଇ ନେତାଙ୍କ କ୍ଷେତ୍ରରେ ତାହା ଯେ ନଘଟିବ କିଏ କହିବ ?