ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ

Jun 20, 2018 - 21:47
 183
ଭୁବନେଶ୍ୱର,୨୦/୬ (ସକାଳଖବର) : ଓଡ଼ିଶା ଅନେକ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି । ତେଣୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଦରକାର । ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଶିଶୁ, ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ବିଧବା ଓ ବୟସ୍କ ଲୋକଙ୍କ ଉଦ୍ଧାର ଓ ରିଲିଫ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ, ପ୍ରତି ବର୍ଷ ରାଜ୍ୟ ବନ୍ୟା, ବାତ୍ୟା କିମ୍ବା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେବେ ଆମେ ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ଗତବର୍ଷ ରାଜ୍ୟ ମରୁଡ଼ି, ପୋକ ଆକ୍ରମଣ ଓ ଅଦିନିଆ ବାତ୍ୟାଜନିତ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା । ଏହି ସବୁ ବିପର୍ଯ୍ୟୟର ମୁକାବିଲା କରିବାରେ ଆମେ ସଫଳ ହୋଇଥିଲୁ ବୋଲି ସେ କହିଛନ୍ତି ।ନବୀନ କହିଲେଯେ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ତାରିଖର କିଛି ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିଲା । ସାରା ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ମଧ୍ୟ ଦୁର୍ବଳ ହୋଇଯାଇଥିବାରୁ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହୋଇଛି । ଓଏୟୂଏଟି ସହ ସମନ୍ୱୟ ରକ୍ଷା କରି କୃଷି ବିଭାଗ ନିରବଚ୍ଛିନ୍ନ ଭାବେ ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକସ୍ଥଳେ ଯୋଜନା ପ୍ରସ୍ତୁତ କରିବାକୁ ନବୀନ ନିଦେ୍ର୍ଧଶ ଦେଇଛନ୍ତି । ବର୍ଷାଭାବ ସ୍ଥିତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଆମେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ପ୍ରାକ୍ ସତର୍କ ସୂଚନା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ପଶୁଚିକିତ୍ସା ଓ ଅନ୍ୟ ସେବାଗୁଡ଼ିକ ଯେଭଳି ଠିକ୍ ସମୟରେ ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନବୀନ ନିଦେ୍ର୍ଧଶ ଦେଇଛନ୍ତି । ଏତଦବ୍ୟତୀତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ବିପଦସଙ୍କୁଳ ଓ ଅଗମ୍ୟ ଇଲାକାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ସହ ସର୍ବଦା ଜିଲ୍ଳା ଜରୁରୀକାଳୀନ ଅପରେସନ ସେଂଟରଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଗୋସମ୍ପଦର ସୁରକ୍ଷା ପାଇଁ ସବୁଜ ଗୋଖାଦ୍ୟ ଓ କ୍ୟାଟେଲ କ୍ୟାମ୍ପ ଖୋଲିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି ।