ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ଦ୍ୱାଦଶ ଯୋଜନା ପରବର୍ତି କାଳରେ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

Aug 9, 2018 - 17:16
 175
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ଦ୍ୱାଦଶ ଯୋଜନା ପରବର୍ତି କାଳରେ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର, ୯/୮ (ସକାଳଖବର):ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା (ପିଏମଜିଏସୱାଇ)କୁ ଦ୍ୱାଦଶ ପଂଚବାର୍ଷିକ ଯୋଜନାର ପରେ ମଧ୍ୟ ଆଗକୁ ଜାରି ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୮୪,୯୩୪ କୋଟି ଟଙ୍କାର ଆନୁମାନିକ ବ୍ୟୟ (କେନ୍ଦ୍ର ଭାଗ ୫୨,୯୦୦ କୋଟି ଟଙ୍କା ଏବଂ ରାଜ୍ୟ ଭାଗ ୩୦,୦୩୪ କୋଟି ଟଙ୍କା) ଦ୍ୱାରା ୩୮,୪୧୨ଟି ଗ୍ରାମକୁ ଯୋଡ଼ିବାରେ ଏହା ସହାୟକ ହୋଇପାରିବ । ପାଣ୍ଠିର ଭାଗିଦାରୀ ବ୍ୟବସ୍ଥା ସମାନ ରହିବ । ଏହାର ପରିଧି ମଧ୍ୟରେ ମାର୍ଚ୍ଚ, ୨୦୧୯ ସୁଦ୍ଧା ସମସ୍ତ ଜନବସତି (୨୫୦ରୁ ଅଧିକ ଜନସଂଖ୍ୟା)କୁ ଅଣାଯିବ । ଅନ୍ୟପକ୍ଷରେ ପିଏମଜିଏସୱାଇ-୨ ଏବଂ ଏଲଡବ୍ଲୁ୍ୟଇ ବ୍ଲକ ଅନ୍ତର୍ଗତ ଚିହ୍ନଟ କରାଯାଇଥିବା ଜନବସତି (୧୦୦-୨୪୯ ଜନସଂଖ୍ୟା)କୁ ମାର୍ଚ୍ଚ, ୨୦୨୦ ସୁଦ୍ଧା ଏହା ଅଧୀନକୁ ଅଣାଯିବ । ପ୍ରାରମ୍ଭରେ ପିଏମଜିଏସୱାଇର ଲକ୍ଷ୍ୟକୁ ମାର୍ଚ୍ଚ, ୨୦୨୨ ସୁଦ୍ଧା ହାସଲ କରାଯିବା ଲାଗି ଧାର୍ଯ୍ୟ କରାଯାଇଥିଲା । ତେବେ ପିଏମଜିଏସୱାଇ-୧ ଲକ୍ଷ୍ୟକୁ ହାସଲ କରିବା ଲାଗି ଅନ୍ତିମ ସମୟ ସୀମା ମାର୍ଚ୍ଚ, ୨୦୧୯ କରିଦିଆଯାଇଛି ଏବଂ ପାଣ୍ଠି ଆବଂଟନରେ ବୃଦ୍ଧି ସହିତ ଅର୍ଥ ଯୋଗାଣର ବ୍ୟବସ୍ଥାକୁ ମଧ୍ୟ ବଦଳାଇ ଦିଆଯାଇଛି । ଏହାକୁ କେନ୍ଦ୍ର ଏବଂ ସମସ୍ତ ରାଜ୍ୟଗୁଡ଼ିକ ପାଇଁ ୬୦:୪୦ ଅନୁପାତ କରିଦିଆଯାଇଥିବା ବେଳେ ଉତର-ପୂର୍ବାଂଚଳର ୮ଟି ରାଜ୍ୟ ଏବଂ ହିମାଳୟ ପାଦଦେଶରେ ଥିବା ରାଜ୍ୟ (ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡ) ଲାଗି ୯୦:୧୦ ନିର୍ଦ୍ଧାରଣ କରାଯାଇଛି । ବର୍ତମାନ ସୁଦ୍ଧା ୯୫ ପ୍ରତିଶତ ଜନବସତି (୧,୬୯,୪୧୫)କୁ ଗ୍ରାମ ସଡକ ଆବଂଟନ କରାଯାଇସାରିଛି ଏଥିମଧ୍ୟରୁ ୯୧ ପ୍ରତିଶତ ଜନବସତି (୧,୫୪,୨୫୭)କୁ ମୁଖ୍ୟମାର୍ଗ ସହିତ ଯୋଡ଼ା ଯାଇସାରିଛି । ଏଥିମଧ୍ୟରେ ୧୬,୩୮୦ଟି ଏପରି ଜନବସତି ମଧ୍ୟ ସାମିଲ ରହିଛି ଯେଉଁଗୁଡ଼ିକୁ ରାଜ୍ୟଗୁଡ଼ିକ ନିଜ ସମ୍ବଳ ମାଧ୍ୟମରେ ଯୋଡ଼ିଛନ୍ତି । ମୋଟ ଆବଂଟିତ ୬,୫୮,୧୪୩ କିମି ଲମ୍ବ ସଡ଼କ ମଧ୍ୟରୁ ୫,୫୦,୬୦୧ କିମି ରାସ୍ତ ସମ୍ପୂର୍ଣ୍ଣ କରାଯାଇସାରିଛି । ପିଏମଜିଏସୱାଇ-୨ ଅନ୍ତର୍ଗତ ୫୦, ୦୦ କିମି ଲମ୍ବ ରାସ୍ତାର ଉନ୍ନତିକରଣ ଲକ୍ଷ୍ୟ ତୁଳନାରେ ପାଖାପାଖି ୩୨,୧୦୦ କିମି ଲମ୍ବ ସଡ଼କ ୧୩ଟି ରାଜ୍ୟରେ ଆବଂଟିତ କରାଯାଇଛି । ଏଗୁଡ଼ିକୁ ପିଏମଜିଏସୱାଇ-୨ରେ ପରିବର୍ତିତ କରିଦିଆଯାଇଛି । ମାର୍ଚ୍ଚ ୨୦୧୮ ସୁଦ୍ଧା ମୋଟ ଆବଂଟନ ତୁଳନାରେ ୧୨,୦୦୦ କିମି ଲମ୍ବ ରାସ୍ତା କାମ ସମ୍ପୂର୍ଣ୍ଣ କରାଯାଇସାରିଛି ।