ପୋଲିସ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ
ଅନୁଗୋଳ,୨୫/୧(ସକାଳଖବର): ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ବିଭିନ୍ନ ମୋକଦ୍ଧମାର ଯୁଗ୍ମ ତଦନ୍ତ ଓ ଯୁଗ୍ମ ପରିଦର୍ଶନ ତଥା ଆସନ୍ତା ନିର୍ବାଚନ କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରିବା ନିମନ୍ତେ ଗତକାଲି ପୂର୍ବାହ୍ନରେ ଜିଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୀଳନୀ କକ୍ଷରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିତ୍ରଭାନୁ ମହାପାତ୍ର ଯୋଗ ଦେଇଥିଲେ । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ବୈଠକକୁ ନିୟମିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଆଇନର ସଠିକ କାର୍ଯ୍ୟକାରିତା ନିମନ୍ତେ ପୋଲିସ ଓ ମାଜିଷ୍ଟ୍ରେଟ ଗୋଟିଏ ମୁଦ୍ରାର ୨ଟି ପାର୍ଶର ପରିପୂରକ ଭାବେ ନିଜ ମଧ୍ୟରେ ସଂପର୍କ ସ୍ଥାପନ କରି ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି କାର୍ଯ୍ୟକ୍ରମ ଅନୁଯାୟୀ ଆଲୋଚନା କରିଥିଲେ । ଅବକାରୀ ବିଭାଗର ବିଭିନ୍ନ ଅପରାଧ ମାମଲା ସଂପର୍କରେ ଆଲୋଚନା ହୋଇଥିଲା । ସେହିପରି ଜିଲ୍ଳାରେ ବିଗତ ,କ ବର୍ଷ ମଧ୍ୟରେ ହୋଇଥିବା ରାସ୍ତା ଅବରୋଧ ମାମଲା ସଂପର୍କରେ ଆହଲୋଚନା ହୋଇଥିଲା । ଏହି ସମସ୍ତ ମାମଲାକୁ ସଂପୃକ୍ତ ଅଞ୍ଚଳର ଥାନାରେ ପଜିଂକରଣ କରିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏମସିଏଲ, ନାଲକୋ, ଏନଟିପିସି ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ଗୁଡ଼ିକର ବିଭିନ୍ନ ସମୟରେ ଜମିହରା ପ୍ରଜାମାନଙ୍କ ଦ୍ୱାରା ଓ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉପୁଜୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା । ଯାନବାହାନ ଦୁର୍ଘଟଣା ଜନିତ ରୁଜୁ ହୋଇଥିବା ମୋକଦ୍ଧମା ଗୁଡ଼ିକର ଫଏସଲା ଓ ଅନୁଗୋଳ ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିନରେ ପଡ଼ିରହିଥିବା ରିପୋର୍ଟ ସଂପର୍କରେ ଆଲୋଚନା ହୋଇଥିଲା । ରାସ୍ତା ଦୁର୍ଘଟଣା ପରେ ଡ଼ାକ୍ତରଖାନାରେ ହେଉଥିବା ଶବ ବ୍ୟବଚ୍ଛେଦ ରିପୋର୍ଟକୁ ୭ଦିନ ଭିତରେ ପ୍ରଦାନ କରିବାକୁ ଜିଲ୍ଳାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଆସନ୍ତା ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରିବା ନିମନ୍ତେ ଗଠିତ ହୋଇଥିବା ବିଭିନ୍ନ କମିଟିର କାର୍ଯ୍ୟକାରୀତା ସଂପର୍କରେ ଆଲୋଚନା ହୋଇଥିଲା । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା, ଆଦର୍ଶ ଆଚରଣବିଧି ଲାଗୁ କରିବା ଓ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ବୈଂକରେ ଆଲୋଚନା ହୋଇଥିଲା । ତାଳଚେର ତହସିଲଦାର ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଇ ଭି ଏମ ଓ ଭିଭିପାଟର କାର୍ଯ୍ୟକାରୀତା ସଂପର୍କରେ ପାୱାରପଏଣ୍ଟ ଉପସ୍ଥାପନ କରିଥିଲେ ।