ପିଠା କାର୍ଯ୍ୟକ୍ରମ ପ୍ରତ୍ୟାହାର ପାଇଁ କଂଗ୍ରେସର ଦାବି

Dec 20, 2018 - 18:07
 164
ପିଠା କାର୍ଯ୍ୟକ୍ରମ ପ୍ରତ୍ୟାହାର ପାଇଁ  କଂଗ୍ରେସର ଦାବି
ଭୁବନେଶ୍ୱର,୨୦/୧୨(ସକାଳଖବର): ‘ପିଠା’ ଯୋଜନା ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛିମିଛିକା ଖୁସି ସୃଷ୍ଟି କରିବା ପାଇଁ ‘ପିଠା’ ନାଁ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ ଆଣିଛି । ଏହାସହ ତୁରନ୍ତ ଏବହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି । ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମିଡଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ‘ପିଠା’ ଯୋଜନାରେ ରାଜ୍ୟର ୧୫% ଦଳିତଙ୍କ ପ୍ରତି ନବୀନବାବୁଙ୍କ ସରକାର ଚରମ ଅନ୍ୟାୟ କରିଛି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ବାବଦରେ ପ୍ରକାଶିତ ବିଜ୍ଞପ୍ତିରେ ୧୦ଟି ବିଭିନ୍ନ ବିଭାଗର ପ୍ରସଙ୍ଗ ଉପରେ ସଚେତନତା କାର୍ଯ୍ୟକ୍ରମ କରିବାର ଘୋଷଣା ଥିବାବେଳେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ନିର୍ଦ୍ଧିଷ୍ଟ କୌଣସି ପ୍ରସଙ୍ଗ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ‘ପିଠା’ କାର୍ଯ୍ୟକ୍ରମ ବାସ୍ତବରେ ବିଜେଡି ସରକାରଙ୍କ ଦଳିତ ବିରୋଧୀ ମନୋଭାବକୁ ପଦାରେ ପକାଇଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ତା ଛଡା ଚଳିତ ଆର୍ଥିକ ବର୍ଷରେ ୩/୪ ଭାଗ ସମୟ ସରି ଯାଇଥିବା ବେଳେ ଠିକ୍ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏ କାର୍ଯ୍ୟକ୍ରମ କରିବା ଅର୍ଥ ଭୋଟ୍ ପାଇଁ ବିଜ୍ଞାପନରେ ନବୀନବାବୁଙ୍କ ଫଟୋ ଦେଖାଇବା ଏକମାତ୍ର ଉଦେ୍ଧଶ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଟ୍ରାନ୍ସପରେନ୍ସି ଓ ଆକାଉଂଟିବିଲିଟି ଭଳି ଶବ୍ଦ କେବଳ ଲୋକଙ୍କୁ ଭୁଅାଁ ବୁଲାଇବା ପାଇଁ । ତା ନହେଲେ ପୂର୍ବରୁ କ’ଣ ସରକାରୀ ଯୋଜନା କାର୍ଯ୍ୟକାରିତାରେ ଏସବୁ ନଥିଲା କି ବୋଲି କଂଗ୍ରେସ ପାଲଟା ପ୍ରଶ୍ନ କରିଛି । ତେଣୁ ତୁରନ୍ତ ରାଜ୍ୟ ସରକାର ଏଭଳି ଦଳିତ ବିରୋଧୀ ଯୋଜନାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।