। ପାଖେଇ ଆସୁଛି ନିର୍ବାଚନ : ଟିକଟ ପାଇଁ ନେତା ଲବିରେ

Feb 25, 2019 - 18:43
 147
ଭଦ୍ରକ, ୨୫/୨(ସକାଳଖବର): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବ । ଘୋଷଣା ହେବ ନିର୍ବାଚନ ତାରିଖ ଓ ଲାଗୁ ହେବ ନିର୍ବାଚନ ଆଚରଣ ବିଧି । ନିର୍ବାଚନ ପାଖେଇ ଆସିଲେ ଅସଲ ନେତାଙ୍କର ଭାଉ କମିଯାଏ । ଆଉ କୁଜି ନେତା ବେଶ୍ ଭାଉ ଓ ତାଉ ଦେଖା ଆରମ୍ଭ କରନ୍ତି । ଭଦ୍ରକ ଜିଲାର ସବୁ ନିର୍ବାଚନ ମଣ୍ଡଳୀରେ ଏବେଏହି ଦୃଶ୍ୟ ଦେଖିବାକୁ ମିଳିଲାଣି । ଆମ ବିଧାୟକ ଓ ସାଂସଦଙ୍କର କାର୍ଯ୍ୟକାଳ ଶେଷ ହୋଇଯାଉଥିବା ବେଳେ ଆସନ୍ତା ନିର୍ବାଚନରେ ପୁଣି ମଇଦାନକୁ କିଏ ଆସିବ ତାକୁ ନେଇ ସବୁ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ଭିନ୍ନ ଭିନ୍ନ ଦଳର ଭିନ୍ନ ଭିନ୍ନ ଗୋଟି ଚାଳନା ଆରମ୍ଭ କରାଯାଉଥିବାବେଳେ କିଛି ନେତା ଏବେ ସେମାନଙ୍କର ଟିକଟ କଟିଯିବା ନେଇ ପ୍ରମାଦ ଗଣିବା ଆରମ୍ଭ କଲେଣି । ଭଦ୍ରକ ଜିଲାରେ ଏବେ ନିର୍ବାଚନ ଉଷ୍ମତା ବେଶ୍ ଦେଖିବାକୁ ମିଳିଲାଣି । ଜିଲାର ଗୋଟିଏ ଲୋକସଭା ଓ ୫ଟି ବିଧାନସଭା କ୍ଷେତ୍ରରେ ଜଣେ ଦୁଇଜଣଙ୍କୁ ଛାଡିଦେଲେ ଆଉ ପ୍ରାୟ ସବୁ ପ୍ରାର୍ଥୀଙ୍କର ବିଭିନ୍ନ କାରଣରୁ ଟିକଟ କଟିବ । କିଛି ନେତାଙ୍କର ଟିକଟ କଟିବା ସୁନିଶ୍ଚିତ ହୋଇଗଲାଣି ବୋଲି ଆଲୋଚନା ହେଉଛି । ଏହି ତଥ୍ୟ ଓ ସୂଚନା ଯଦି ସତ୍ୟ ହୋଇଥାଏ । ତେବେ ଭଦ୍ରକ ଜିଲାରେ ଏଥର କିଛି ନୂଆ ନେତାହ ମଇଦାନକୁ ଆସିବେ ବୋଲି ସୂଚନା ମିଳୁଛି । ବିଜେଡି ଦଳରେ ବିଭିନ୍ନ କାରଣରୁ କିଛି ନେତାଙ୍କୁ ଏଥର ନିର୍ବାଚନ ମଇଦାନରୁ ଅନ୍ତର କରାଯିବାର ବ୍ଲୁ ପ୍ରିଂଟ ପ୍ରସ୍ତୁତ ଶେଷ ହୋଇଛି । ଏଇ ବ୍ଲୁ ପ୍ରିଣ୍ଟର ଘୋଷଣା କେବଳ ବାକି ରହିଛି । ଆସନ୍ତା ମାର୍ଚ୍ଚ ୫ ତାରିଖ ବେଳକୁ ନେତାଙ୍କର ଟିକଟ ନେଇ କିଛି ତଥ୍ୟ ସ୍ପଷ୍ଟ ହୋଇଯିବ । ସେମିତି ମଧ୍ୟ କଂଗ୍ରେସ ଦଳରେ କିଛି ପୁରୁଣା ନେତା ଟିକଟ ପାଇଁ ନିର୍ବାଚନରେ ହାରୁଥିବାରୁ ଏହିହାରୁଆ ନେତାଙ୍କୁ ଦଳ ଏଥର ଟିକଟ ଦେବ ନାହିଁ ବୋଲି ଭିତିରି ଭାବେ ନିଷ୍ପତି ନେଇଛି । ଏଥିପାଇଁ କଂଗ୍ରେସ ଦଳ ପକ୍ଷରୁ ଯୁବ ନେତୃତ୍ୱଙ୍କୁ ଟିକଟ ବଣ୍ଟନ କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଦଳୀୟ ମହଲରୁ ଚର୍ଚ୍ଚା ହେଉଛି । ବିଜେପି ଦଳରେ କଥା ଟିକେ ଅଲଗା ଅଲଗା ବାସୁଛି । ଦଳ ମୋଦି ହାୱାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ବସିଥିବା ବେଳେ ଅନ୍ୟ ଦଳରୁ ଯଦି କେହି ଟାଣୁଆ ନେତା ଟିକଟ ନ ପାଆନ୍ତି । ସେହିଭଳି କିଛି ନେତାଙ୍କୁ ନିଜ ଘରକୁ ଆଣି ସେମାନଙ୍କୁ ଟିକଟ ଦେବ ବୋଲି ଚର୍ଚ୍ଚା ହେଉଛି । ଭଦ୍ରକରେ ଏହି ତିନି ପ୍ରମୁଖ ଦଳରେ ଯଦି ଦଳୀୟ ଅଙ୍କକଷା ଏହିପରି ଓ ଉପର ଲେବୁଲରେ ନେତୃତ୍ୱକୁ ନେଇ ଅତି ଗୋପନରେ ଗୋଟି ଚାଳନା ଆରମ୍ଭ ହୋଇଛି । କିନ୍ତୁ ସବୁ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କିଛି ନହେଲେ ବି କେତେକ କୁଜିନେତା ଅଛନ୍ତି କିଛି ନ କରି ସୋସିଆଲ ମିଡିଆରେ ନିଜର ଫଟୋ ଓ ସଭାସମିତି ଛାଡି ବେଶ୍ କିଛି ହୋ ହାଲା ଚଳାଇଛନ୍ତି । ବେନର ହୁଡିଂ ଟାଣି ହାୱା କି୍ରଏଟ୍ କରିବାକୁ ସବୁ ପ୍ରକାର ଯୋଜନା ବି ଚଳାଇଛନ୍ତି । ସବୁ ଦଳରୁ ଏଇ କୁଜିନେତାମାନେ ଅନେକାଂଶରେ ବିଭ୍ରାଟ ଆରମ୍ଭ କରି ଦେଇଥିବାବେଳେ ଅସଲ ନେତା କିନ୍ତୁ ମୁଣ୍ଡମାରି ବସି ଯାଇଛନ୍ତି । କେଉଁ ପାଣି କୁଆଡେ ଯାଉଛି ଦେଖୁଛନ୍ତି ।