ପଶ୍ଚିମ ଓଡିଶା ବନ୍ୟା ପରିସ୍ଥିତି ନେଇ ଏସ୍ଆରସି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

Aug 13, 2019 - 18:01
 142
ଭୁବନେଶ୍ୱର, ୧୩/୮(ସକାଳଖବର): ପଶ୍ଚିମ ଓଡିଶାର ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବରଗଡ ଆଦି ଜିଲ୍ଲାରେ ଗତ ୩ ଦିନର ପ୍ରବଳ ବର୍ଷା ପରେ ଏବେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ସହ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ଓ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖରେ ତୁରନ୍ତ ରିଲିଫ ପହଂଚାଇବା ନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ଶ୍ରୀମତି ସିଂହଦେଓ କହିଛନ୍ତି ଯେ, ଏବେ ସୃଷ୍ଟି ହୋଇଥିବା ବନ୍ୟାରେ ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରବଳ ବର୍ଷା କାରଣରୁ ହରିଶଂକରଠାରେ ମାଟି ଅତଡା ଧସି ଯିବା କାରଣରୁ ବ୍ୟାପକ କ୍ଷତି ହୋଇଛି । ଅନେକ ଲୋକ ଏବେବି ପାଣି ଘେରରେ ଅଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାର ଆବଶ୍ୟକତା ଅଛି । ଜିଲ୍ଲାମାନଙ୍କୁ ଉଦ୍ଧାର ବୋଟ ଦେବାର ତୁରନ୍ତ ଆବଶ୍ୟକତା ଅଛି । ସେହିପରି ପ୍ରଭାବିତ ଲୋକମାନଙ୍କୁ ରିଲିଫ ଖାଦ୍ୟ ପହଂଚାଇବା ଜରୁରି ଅଛି । ସେହିପରି ବନ୍ୟା ପରବର୍ତି ସମୟରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିବା ପାଇଁ ତୁରନ୍ତ ଚିକିସ୍ତ୍ରା ଦଳ ଯିବାର ଆବଶ୍ୟକତା ଅଛି । ଏସଡିଆରଏଫ ଟିମ ପଠାଇ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ । ଏ ସର୍ମ୍ପକରେ ସ୍ୱତନ୍ତ୍ର ରିଲିଫ କମିଶନ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଏହି ପ୍ରତିନିଧି ଦଳ ସଚିବାଳୟ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ସଂପର୍କରେ ଦାବୀ ପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା ମନମୋହନ ସାମଲ ଓ କନକ ବର୍ଦ୍ଧନ ସିଂହଦେଓ, ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ସାମିଲ ଥିଲେ ।