ଏଣିକି ‘ମୋ ଆଧାର, ମୋ ପରିଚୟ’ ନୁହେଁ

Sep 26, 2018 - 16:50
 617
ଏଣିକି ‘ମୋ ଆଧାର, ମୋ ପରିଚୟ’ ନୁହେଁ
ଆଜି ସୁପ୍ରିମକୋର୍ଟଙ୍କ ‘ଆଧାର’ ରାୟ ପ୍ରକାଶ ପାଇଛି । ବିଭାଜିତ କିନ୍ତୁ ସଂଖ୍ୟାଧିକ ମତରେ ଏହି ରାୟରେ ଆଧାରର ସାମ୍ବିଧାନିକ ବୈଧତାକୁ ଅଦାଲତ କାଏମ ରଖିଛନ୍ତି । କିନ୍ତୁ ଏହି ସାମ୍ବିଧାନିକ ବ୍ୟବସ୍ଥାରେ ଥିବା ମୋ ଆଧାର, ମୋ ପରିଚୟ ଧାରାକୁ ଅଦାଲତ ବସ୍ତୁତଃ ରଦ୍ଧ କରିଦେଇଛନ୍ତି । ଏହାଦ୍ୱାରା ଆଧାର କାଡର଼୍ ଅନ୍ୟ ପରିଚୟପତ୍ର ସହ କେତେକାଂଶରେ ସମତୁଲ୍ୟ ହୋଇଯାଇଛି । ସାମ୍ବିଧାନିକ ମାନ୍ୟତା ଆଳରେ ସରକାର ସମସ୍ତ କ୍ଷେତ୍ରରେ ଆଧାର ପ୍ରୟୋଗ କରିବାରୁ ଦେଶର ସାଧାରଣ ନାଗରିକ ଗୁରୁତର ସମସ୍ୟାର ସମ୍ମୁଖୀନ ହେଲେ । ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଟେଲିଫୋନ ସିମ୍ ପାଇଁ ଥିବା ଆଧାର ବ୍ୟବସ୍ଥାକୁ ଅଦାଲତ ରଦ୍ଧ କରିଦେଇଛନ୍ତି । ଯେଉଁମାନେ ସରକାରୀ ସହାୟତା ଗ୍ରହଣ କରିବେ ସେମାନଙ୍କ ପାଇଁ ଆଧାର ଆବଶ୍ୟକ ବୋଲି ଅଦାଲତ କହିଛନ୍ତି । ଏଥିସହ ଆଧାର ନଥିବାରୁ କେହି ସରକାରୀ ସହାୟତାରୁ ବଞ୍ଚିତ ହୋଇପାରିବେ ନାହିଁ ମଧ୍ୟ କହିଛନ୍ତି । ଏହି ରାୟ ଜରିଆରେ ଅଦାଲତ ସରକାରଙ୍କ ପକ୍ଷ ଓ ସାଧାରଣ ନାଗରିକଙ୍କ ପକ୍ଷ ମଧ୍ୟରେ ଭାରସାମ୍ୟ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି । ନାଗରିକର ବ୍ୟକ୍ତିଗତ ବିବରଣୀର ଗୋପନୀୟତା ନେଇ ଅଦାଲତରେ ଯେଉଁ ଯୁକ୍ତିତର୍କ ହୋଇଥିଲା ତାହାକୁ ଅଦାଲତ ଗ୍ରହଣ କରିନାହାଁନ୍ତି । କିନ୍ତୁ ବେସରକାରୀ ଅନୁଷ୍ଠାନ ନାଗରିକଙ୍କୁ ଆଧାର ମାଗିପାରିବେ ନାହିଁ ଓ ଆଧାର ବିବରଣୀ ସୁରକ୍ଷିତ ରଖିବା ପାଇଁ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି । ଏହାଦ୍ୱାରା ଆଧାର ବିବରଣୀ ସୁରକ୍ଷିତ ନଥିବା ଅଦାଲତ ଅନୁଭବ କରିଛନ୍ତି । ତେଣୁ ନ୍ୟାୟିକ ବ୍ୟବସ୍ଥାରେ ଆଧାର ତର୍ଜମାର ଏହା ଅୟମାରମ୍ଭ ମାତ୍ର । ଆଧାର ଏକ ଅର୍ଥ ବିଲ କି ନୁହେଁ ପରବର୍ତ୍ତୀ ସମୟରେ ସେ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠିବ ବା ପୁଣି ଅଦାଲତକୁ ଯିବାର ସମ୍ଭାବନା ରହିଛି । କାରଣ ଯଦି ଏହା ଏକ ଅର୍ଥ ବିଲ ତାହାଲେ ସରକାର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ ଏଥିରେ ପୁନର୍ବାର କିପରି ଆଣିବେ ? ତେଣୁ ପ୍ରାରମ୍ଭିକ ଭାବେ ଏହି ମାମଲାରେ ଆଧାର ବିପକ୍ଷବାଦୀଙ୍କ ଆଂଶିକ ବିଜୟ ଘଟିଛି ବୋଲି କୁହାଯାଇପାରେ ।