ନୀତି ଅଭାବ: ସହରାଞ୍ଚଳରେ ବସ୍ତି ସଂଖ୍ୟା ବୃଦ୍ଧି

Jun 2, 2018 - 14:38
 149
ନୀତି ଅଭାବ: ସହରାଞ୍ଚଳରେ ବସ୍ତି ସଂଖ୍ୟା ବୃଦ୍ଧି
କଟକ,୨ା୬:(ସକାଳଖବର): କର୍ମନିଯୁକ୍ତି ଆଶାରେ ଗ୍ରାମାଞ୍ଚଳରୁ ରାଜ୍ୟର ସହରାଞ୍ଚଳକୁ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣଙ୍କ ଆଗମନ ଯୋଗୁ ସହରଗୁଡ଼ିକରେ ବସ୍ତିସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳରେ ଏହି ବସ୍ତିଗୁଡ଼ିକର ସମନ୍ୱିତ ବିକାଶ ବା ଏହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବର୍ଦ୍ଧିତ ଜନସଂଖ୍ୟା ପାଇଁ ଏବେ ମୌଳିକ ସୁବିଧାସୁଯୋଗ ନିଅଣ୍ଟ ପଡ଼ୁଥିବା ପରିଲକ୍ଷିତ ହେଉଛି । ରାଜ୍ୟରେ ଏକ ବସ୍ତି ନୀତି ପ୍ରଣୟନ କରିବା ପାଇଁ ସରକାର ବାରମ୍ବାର କହିବା ସତ୍ତ୍ୱେ ଏ ଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ, ଜଳ ନିଷ୍କାସନ ଓ ସଫେଇ କାର୍ଯ୍ୟରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛ ବୋଲିି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି । ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେଉଥିବାରୁ ରାଜ୍ୟର ସହରାଞ୍ଚଳକୁ ଅଧିକ ଜନସାଧାରଣଙ୍କ ଆଗମନ ଘଟୁଛି । ବିଗତ କିଛି ବର୍ଷ ହେଲା କୃଷି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବାରେ ଲାଗିଛି । ଚାଷକାର୍ଯ୍ୟ ଲାଭଜନକ ହେଉନଥିବା ଦର୍ଶାଇ ବହୁ ଚାଷୀ ଚାଷକାର୍ଯ୍ୟ ପ୍ରତି ଆଉ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଫଳରେ କୃଷିକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ରୋଜଗାର ଉଦେ୍ଧଶ୍ୟରେ ସହରାଞ୍ଚଳକୁ ଆସୁଛନ୍ତି । ଏତଦ୍ବ୍ୟତୀତ ବହୁ ଶିକ୍ଷିତ ବେକାର ଯୁବକ କାମଧନ୍ଦା ଅନ୍ୱେଷଣରେ ସହରାଞ୍ଚଳକୁ ଆସିବାରେ ଲାଗିଛନ୍ତି । ପ୍ରତିବର୍ଷ ରାଜ୍ୟର ଗ୍ରାମାଞ୍ଚଳରୁ ଅନୂ୍ୟନ ୧ ଲକ୍ଷରୁ ଦେଢ଼ଲକ୍ଷ ପର୍ଯ୍ୟନ୍ତ ଜନସାଧାରଣଙ୍କ ସହରାଞ୍ଚଳକୁ ଅନୁପ୍ରବେଶ ଘଟୁଥିବା ଏକ ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି । ଏହି କାରଣରୁ ୧୯୮୦ ମସିହା ବେଳକୁ ରାଜ୍ୟର ସହରାଞ୍ଚଳରେ ବସ୍ତି ସଂଖ୍ୟା ୧୨୦ ଥିଲା ବେଳେ ଏବେ ଏହି ସଂଖ୍ୟା ୪୦୦ରୁ ଅଧିକ ହେଲାଣି । ଜନସଂଖ୍ୟା ସହ ଆନୁପାତିକ ଭାବେ ବସ୍ତି ବୃଦ୍ଧି ଯୋଗୁ ପୌର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ ହେଉଥିବା ପରିଲକ୍ଷିତ ହେଉଛି । ରୋଜଗାର ଆଶାରେ ଯେଉଁ ବର୍ଗର ଜନସାଧାରଣଙ୍କ ସହର ମଧ୍ୟକୁ ପ୍ରବେଶ ଘଟୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ । ସହରାଞ୍ଚଳର ନିର୍ମାଣ କାର୍ଯ୍ୟରେ ଏମାନେ ନିର୍ଭରଶୀଳ ରହିଥାନ୍ତି । ଏତଦ୍ବ୍ୟତୀତ ଟ୍ରଲି ଚାଳକ, ରିକ୍ସା ଚାଳକ, ଚା' ଦୋକାନ, ପାନ ଦୋକାନ ଓ ଉଠାଦୋକାନ ଆଦି କରି ଜନସାଧାରଣ ନିଜର ଜୀବିକା ଉପାର୍ଜ୍ଜନ ପାଇଁ ଉଦ୍ୟମ କରିଥାନ୍ତି । ଅନ୍ୟାନ୍ୟ ବର୍ଗର ଜନସାଧାରଣଙ୍କ ମଧ୍ୟରେ ଧୋବା, କାଠ ମିସ୍ତ୍ରି , ଗ୍ୟାରେଜ ଓ ଛୋଟ ହୋଟେଲ ଆଦିରେ କାର୍ଯ୍ୟ କରୁଥିବା ଶ୍ରମିକ ଅନ୍ତର୍ଭୁକ୍ତ । ସ୍ୱଳ୍ପଆୟ ସଂପନ୍ନ ଏହି ବ୍ୟକ୍ତିମାନେ ସହରର କୌଣସି ଏକ ଖାଲି ସ୍ଥାନରେ ବସବାସ ଆରମ୍ଭ କରିଥାନ୍ତି । କ୍ରମେ ଏହି ସଂଖ୍ୟା ବୃଦ୍ଧି ପାଇ ସେଠାରେ ଏକ ନୂତନ ବସ୍ତି ଗଢ଼ିଉଠୁଛି । ୧୯୯୦ ମସିହା ବେଳକୁ ରାଜ୍ୟରେ ବସ୍ତିବାସିନ୍ଦାଙ୍କ ସଂଖ୍ୟା ୧୦ ଲକ୍ଷ ଥିଲାବେଳେ ଏବେ ଏହି ସଂଖ୍ୟା ୩୨ ଲକ୍ଷରେ ଆସି ପହଞ୍ଚିଲାଣି । ସହର ବାସିନ୍ଦାଙ୍କ ଆବଶ୍ୟକତା ପୂରଣ କରିବାରେ ଏହି ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ବସ୍ତିସଂଖ୍ୟା ବୃଦ୍ଧି ଯୋଗୁଁ ସହରର ଯୋଜନାବଦ୍ଧ ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଦର୍ଶାଇ ସରକାର ବହୁ ସମୟରେ ବସ୍ତି ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିଯୋଗୁ ଉତ୍ତେଜନା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଅନିୟନ୍ତ୍ରିତ ଭାବେ ବସ୍ତି ଗଢ଼ିଉଠିବା କାରଣରୁ ବସ୍ତିଗୁଡ଼ିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଛି । ସଂପୃକ୍ତ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ତେବେ ସହରାଞ୍ଚଳରେ ଏହି ବସ୍ତି ଅଭିବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ସରକାର ଅଦ୍ୟାବଧି ନିର୍ଦ୍ଧିଷ୍ଟ ଭାବେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ବିଭିନ୍ନ ସମୟରେ ଏଥିପାଇଁ ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏଦିଗରେ କୌଣସି ବିଧିବଦ୍ଧ ଯୋଜନା ପ୍ରସ୍ତୁତ ହୋଇପାରିନାହିଁ । ଏପ୍ରକାର ପରିସ୍ଥିତିରେ ଏବେଠାରୁ ଏଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି ।