ନିଯୁକ୍ତି ଦାବୀ ନେଇ ଜିଲ୍ଲାପାଳ ଅଫିସ ଘେରିଲା ଭାଜପା ଯୁବମୋର୍ଚ୍ଚା
ଅନୁଗୋଳ,୨୮/୧(ସକାଳଖବର): ଶିଳ୍ପନଗରୀ ଅନୁଗୋଳ ଜିଲାରେ ବଢ଼ି ଚାଲିଛି ବେକାରୀ ସମସ୍ୟା । ସରକାରୀ ନିୟମ ଅନୁଯାୟୀ ସ୍ଥାନୀୟ ଶିଳ୍ପ କଳକାରଖାନାରେ ୯୦% ଅନକୁଶଳୀ, ୬୦% ଅର୍ଦ୍ଧକୁଶଳୀ ଓ ୩୦% କୁଶଳୀଙ୍କୁ ନିଯୁକ୍ତି ଥିବା ନିୟମ ଥିଲେ ମଧ୍ୟ ୧୯ ବର୍ଷର ନବୀନ ସରକାର ସ୍ଥାନୀୟ ବେକାର ଯୁବକ, ଯୁବତୀଙ୍କୁ ଉପେକ୍ଷା କରିବା ପ୍ରତିବାଦରେ ଆଜି ଭାଜପା ଜିଲା ଯୁବମୋର୍ଚ୍ଚା ପକ୍ଷରୁ ଜିଲାପାଳ ଅଫିସ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ଜଣାଯାଇଛି । ଯୁବ ମୋର୍ଚ୍ଚା ଜିଲା ସଭାପତି ପ୍ରଶାନ୍ତ ନନ୍ଦଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲାପାଳଙ୍କ ଅଫିସ ସମ୍ମୁଖରେ ନିଯୁକ୍ତି ଦାବୀ ନେଇ ନାରାବାଜି କରିଥିଲେ । ଏବଂ ଜିଲାରେ ମାଳ ମାଳ କଳକାରଖାନା ଥିଲେ ମଧ୍ୟ ବେକାର ମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଶାସକ ଦଳର ୫ଜଣ ବିଧାୟକ ଓ ୨ ଜଣ ସାଂସଦ ଏଦିଗରେ ସଂପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି । ଅପରପକ୍ଷେ ଜିଲାର ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି ।ଏଣୁ ରାଜ୍ୟ ସରକାର ବେକାରୀକୁ ନିଯୁକ୍ତି ଦେବାରେ ବିଫଳ ବୋଲି ଭାଜପାର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ । ଏହି ଘେରାଉ କାର୍ଯ୍ୟକ୍ରମ ବେଳେ ଭାଜପାକର୍ମୀମାନେ ଜିଲାପାଳ ଅଫିସ ଗେଟ୍ ଉଠିଯାଉଥିବାବେଳେ ପୋଲିସ ସହିତ କିଛି ସମୟ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।ଏହି ଘେରାଉ କାର୍ଯ୍ୟକ୍ରମରେ ଭାଜପା ନେତା ଅଗସ୍ତୀ ବେହେରା, ଅମିୟ ତ୍ରିପାଠୀ, ବିଜୟ ମାଝି, ସୋମନାଥ ରାଉତ, ଚନ୍ଦ୍ରକାନ୍ତ ଧଳ, ଚିତ୍ତରଞ୍ଜନ ଦାସ, ଟୁନା ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।