ନଭେମ୍ବରରେ ଭାରତ-ଆମେରିକା ୨+୨ ଆଲୋଚନା

Sep 4, 2021 - 07:41
 340
ନଭେମ୍ବରରେ ଭାରତ-ଆମେରିକା ୨+୨ ଆଲୋଚନା
ୱାଶିଂଟନ: ଗୋଟିଏ ପଟେ ଆଫଗାନିସ୍ତାନ ତାଲିବାନ ଶାସନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଅନ୍ୟପଟେ ଭାରତ ଓ ଆମେରିକା ମଧ୍ୟରେ ୨+୨ ଆଲୋଚନା ହେବ। ଆସନ୍ତା ନଭେମ୍ବର ମାସରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଘଲ ସୂଚନା ଦେଇଛନ୍ତି।୩ ଦିନିଆ ଆମେରିକା ଗସ୍ତରେ ଯାଇ ସେଠାରେ ହର୍ଷବର୍ଦ୍ଧନ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ। ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନଙ୍କ ସହ ମଧ୍ୟ ସେ ବୈଠକ କରିଛନ୍ତି। ଏହି ୩ ଦିନିଆ ଗସ୍ତ ଶେଷ ପରେ ହର୍ଷବର୍ଦ୍ଧନ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ଆଶା କରିଛୁ ଯେ ୨+୨ ଆଲୋଚନା ନଭେମ୍ବର ମାସରେ ଅନୁଷ୍ଠିତ ହେବ। ତେବେ ତାରିଖ ସମ୍ପର୍କରେ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ହେବ। ଆମେ ସବୁ ପ୍ରକାରର ସୁଯୋଗର ଉପଯୋଗ କରି ୨+୨ ଆଲୋଚନାକୁ ଯୁଗ୍ମ ସଚିବ ସ୍ତରରେ ଆୟୋଜନ କରୁଛୁ। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରି ବିକାଶ ପ୍ରକ୍ରିୟାରେ ସହାୟକ ହେବ ବୋଲି ସେ କହିଛନ୍ତି। ଶେଷଥର ପାଇଁ ୨+୨ ଆଲୋଚନା ନୂଆଦିଲ୍ଲୀରେ ହୋଇଥିଲା। ତେଣୁ ନଭେମ୍ବରରେ ଆମେରିକାରେ ବୈଠକ ହେବ। ୨+୨ ବୈଠକରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏହାର ଅର୍ଥ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨+୨ ଆଲୋଚନା ପାଇଁ ଆମେରିକା ଗସ୍ତ କରିବେ। ଏହା ବାଇଡେନ ପ୍ରଶାସନ ସହ ଭାରତର ପ୍ରଥମ ୨+୨ ବୈଠକ ହେବ। ଏହାପୂର୍ବରୁ ଦିଲ୍ଲୀରେ ୨+୨ ଆଲୋଚନା ହେବା ବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ରହିଥିଲେ।