ଧୋଇଗଲା ପ୍ରଶ୍ନକାଳ, ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ଉପବାଚସ୍ପତି

Sep 8, 2021 - 06:59
 96
ଧୋଇଗଲା ପ୍ରଶ୍ନକାଳ, ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ଉପବାଚସ୍ପତି
ଭୁବନେଶ୍ୱର: ଆଜିର ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇଯାଇଛି । କାରଣ ଆଜି ଗୃହକୁ ପ୍ରଥମେ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ଆଶା କରାଯାଉଥିଲା ୧୧.୩୦ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହେବ । ତେବେ ୧୧.୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତିଙ୍କୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ତାଙ୍କ ଚାମ୍ବରରେ ଘେରାଉ କରିଥିବାରୁ ଉପବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିରୋଧୀ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ନୋଟିସ ଦେଇଥିଲେ । ହେଲେ ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ । ଏହା ପରେ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟ ମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହକୁ ମୁଲତବୀ ଘୋଷଣା ପରେ ବାଚସ୍ପତି ଶ୍ରୀ ପାତ୍ର ତାଙ୍କ ଚାମ୍ବରକୁ ଚାଲିଯାଇଥିଲେ । ତେବେ କଂଗ୍ରେସ ବିଜେପି ସଦସ୍ୟମାନେ ତାଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ନୋଟିସ ଅଗ୍ରାହ୍ୟ ପରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ ଚାମ୍ବରରେ ହିଁ ଘେରାଉ କରିଥିଲେ । ବାଚସ୍ପତିଙ୍କୁ ଘେରାଉ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ସୂଚନା ଦେଇଥିଲେ ।