ଦେଶରେ ଦିନକରେ ୧୮,୩୧୩ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ତଳଉପର ହେଉଛି କୋରୋନା ସଂକ୍ରମଣ । ଦିନେ ସଂକ୍ରମଣ କମିଲେ ଆଉ ଦିନେ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୧୮,୩୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ମଙ୍ଗଳବାର ୧୪,୮୩୦ ଥିଲା । ସେହିପରି ଦିନକରେ ୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୨୦,୭୪୨ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୨,୬୭,୫୭୧କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ପାଖାପାଖି ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୫,୦୨୬କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭ ରେଟ୍ ୪.୩୧% ରହିଛି । ଏବେ ସୁଦ୍ଧା ସମୁଦାୟ ୫,୨୬,୧୬୭ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ ୨୦୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୭,୩୭,୨୩୫ ଜଣଙ୍କୁ ଟିକା ଦିଆଯାଇଛି ।