ଆୟୁଷ୍ମାନ ଭାରତ ପାଇଁ ଜନ ଜାଗରଣ କାର୍ଯ୍ୟକ୍ରମ କରିବ ବିଜେପି

Sep 26, 2018 - 17:08
 244
ଆୟୁଷ୍ମାନ ଭାରତ ପାଇଁ ଜନ ଜାଗରଣ କାର୍ଯ୍ୟକ୍ରମ କରିବ ବିଜେପି
ଭୁବନେଶ୍ୱର,୨୬/୯ (ସକାଳଖବର): ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ ପାଇଁ ଆସନ୍ତୁ ଏକାଠି ହେବା । ସେପ୍ଟେମ୍ବର ୩୦ରୁ ସାରା ରାଜ୍ୟରେ ସପ୍ତାହବ୍ୟାପୀ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦେଇଛି ଭାରତୀୟ ଜନତା ପାର୍ଟି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏହାସହ କାର୍ଯ୍ୟକ୍ରମ ସମ୍ପର୍କିତ ପୋଷ୍ଟରକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଓଡ଼ିଆ ଲୋକଙ୍କ ସ୍ୱାର୍ଥ ବିରୋଧୀ ନବୀନ ସରକାର ବିରୋଧରେ ବ୍ୟାପକ ଜନଜାଗରଣ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଜେପି କାର୍ଯ୍ୟକର୍ତାମାନେ ସେପ୍ଟେମ୍ବର ୩୦ ତାରିଖ ଠାରୁ ବ୍ୟାପକ ଭାବରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଗାଁ କୁ ଗାଁ ଘରକୁ ଘର ପହଂଚିବ । ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବା ଦାବିରେ ଦସ୍ତଖତ ସଂଗ୍ରହ କରିବେ । ସବୁ ପଂଚାୟତ ଓ ସହରାଂଚଳରେ ବ୍ୟାପକ ପଥପ୍ରାନ୍ତ ସଭା କରି ଦୃଢ ଜନମତ ଗଢି ତୋଳିବା ପାଇଁ ଦଳ ପ୍ରୟାସ କରିବ । ମୋଦିଙ୍କ ମାଗଣା ସ୍ୱାସ୍ଥ୍ୟସେବା ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ କରିବାକୁ ରାଜ୍ୟସରକାରଙ୍କୁ ବାଧ୍ୟ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଗମ୍ଭୀର ରୋଗରେ ଦେଶରେ କେହି ବି ଗରିବ ଲୋକ ପୀଡ଼ିତ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୋଦି ସରକାର ଆରମ୍ଭ କରିଛନ୍ତି ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନାରେ ସାରା ଦେଶରେ ସରକାରୀ ଓ ବେସରକାରୀ ଡ଼ାକ୍ତରଖାନାମାନଙ୍କରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟକାରୀ ହୋଇଛି ଯୋଜନା । ମାତ୍ର ଓଡ଼ିଆଙ୍କୁ ସାରା ଦେଶରେ ମୋଦି ଯୋଗାଉଥିବା ମାଗଣା ସ୍ୱାସ୍ଥ୍ୟସେବା ସାମ୍ନାରେ ବିଜେଡ଼ି ସରକାର ସାଜିଛି କଂଟା । ଲୋକଙ୍କୁ ସଠିକ୍ ଯାଗାରେ ବିନା ମୂଲ୍ୟରେ ମୋଦିଙ୍କ ସ୍ୱାସ୍ଥ୍ୟସେବା ଯୋଜନାରେ ଓଡ଼ିଆ ଲୋକଙ୍କୁ ସୁବିଧା ଯୋଗାଇ ନଦେବା ପାଇଁ ନବୀନ ସରକାର ସାଜିଛନ୍ତି କଂଟା ବୋଲି ଶ୍ରୀ ପଣ୍ଡା କହିଛନ୍ତି । ନବୀନବାବୁ ସାଧାରଣ ଗରିବ ଓଡ଼ିଆ ଲୋକଙ୍କ ମାଗଣା ଚିକିତ୍ସା ନୁହେଁ ବରଂ ନିଜର ମୁଖ୍ୟମନ୍ତ୍ରୀ ଚୌକି ବଂଚାଇବା ହୋଇଛି ପ୍ରାଥମିକତା । ତେଣୁ ମୋଦିଙ୍କ ଆୟୁଷ୍ମାନ ଭାରତ ବଦଳରେ ଓଡ଼ିଆ ଲୋକଙ୍କୁ ମିଛ ଘୋଷଣାରେ ଠକିବା ପାଇଁ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାଟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।