ତାଳଚେର ସାର କାରଖାନା ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ : ସାର ସଚିବ

Feb 17, 2019 - 19:39
 131
ଅନୁଗୋଳ,୧୭/୨(ସକାଳଖବର): ତାଳଚେର ସାର କାରଖାନା ପାଇଁ ଆହୂତ ଟେଣ୍ଡର ଖୁବଶୀଘ୍ର ଖୋଲାଯିବା ସହ କାରଖାନାର କାର୍ଯ୍ୟାରମ୍ଭ ହୋଇଯିବ ବୋଲି କେନ୍ଦ୍ର ରସାୟନ ଓ ସାର ସଚିବ ଛବିଳେନ୍ଦ୍ର ରାଉଳ ସୂଚନା ଦେଇଛନ୍ତି । ଶ୍ରୀ ରଉଳଙ୍କ ତାଳଚେର ସାର କାରଖାନା ପରିଦର୍ଶନ ଅବସରରେ କାରଖାନାର ସ୍ୱେଚ୍ଛାକୃତ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅରୁଣ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅନୁଗୋଳଠାରେ ତାଙ୍କୁ ସାକ୍ଷାତ କରି କାରଖାନା ତୁରନ୍ତ ଖୋଲିବା ଲାଗି ଦାବି କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସାର ସଚିବ କାରଖାନା ଖୋଲିବା ପାଇଁ ସମସ୍ତ ପ୍ରକ୍ରିୟା ଜୋରସୋର ଚାଲିଛି ଏବଂ ସବୁ ଠିକଠାକ ଚାଲିଲେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇ କାରଖାନାର କାର୍ଯ୍ୟାରମ୍ଭ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ସେମାନଙ୍କ ବିଭିନ୍ନ ୩ ଦଫା ସମସ୍ୟା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସ୍ମାରକପତ୍ରରେ ସେମାନେ ଦର୍ଶାଇଛନ୍ତି, ଗତ ୨୦୦୨ ମସିହାରେ ଭାରତୀୟ ସାର ନିଗମ ପରିଚାଳିତ କୋଇଲା ଭିତ୍ତିକ ତାଳଚେର ସାର କାରଖାନା ବନ୍ଦ ଘୋଷିତ ହେବା ପରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ ହୋଇଥିଲେ । ସେ ସମୟରେ ଏହି କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ୪୭ ବର୍ଷ ବୟସରୁ କମ୍ ଥିଲେ । ଏଭଳି ଏକ ଅସମୟରେ ଅବସର ନେଇ କେବଳ କର୍ମଚାର ନୁହନ୍ତି, ସେମାନଙ୍କ ପରିବାରବର୍ଗ ମଧ୍ୟ ଏବେ ସୁଦ୍ଧା ଅକଥନୀୟ ଦୁର୍ଦ୍ଧଶା ଦେଇ ଗତି କରୁଛନ୍ତି । ଯାହେଉ ଇତିମଧ୍ୟରେ କାରଖାନା ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏ ପରିପ୍ରେକ୍ଷୀରେ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ସ୍ୱେଚ୍ଛାକୃତ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଲାଗି ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଜନା ଓ ବିଧିବଦ୍ଧ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସଂଘ ପକ୍ଷରୁ ସଚିବ ଶ୍ରୀ ରାଉଳଙ୍କୁ ନିବେଦନ କରାଯାଇଛି । ଏଥିସହ କାରଖାନାର ନିଯୁକ୍ତି କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ଲାଗି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି । ଶ୍ରୀ ରାଉଳ ଉପସ୍ଥାପିତ ଦାବି ଗୁଡ଼ିକ ସଂପର୍କରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଥିବା ପ୍ରକାଶ । ଏହି ଆଲୋଚନା କାଳରେ ସଂଘର କର୍ମକର୍ତ୍ତା ମଦନମୋହନ ପରିଡ଼ା, ନିତ୍ୟାନନ୍ଦ ବେହେରା, ଜଗଦୀଶ ବାରିକ, ବିମଳ ନାୟକ, ଓ ରାଜକିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।