ଜୟଦେବ- ନିରଞ୍ଜନଙ୍କ ଗଡ଼ରେ ନବଙ୍କ କୁହାଟ

May 8, 2018 - 14:20
 143
ଜୟଦେବ- ନିରଞ୍ଜନଙ୍କ ଗଡ଼ରେ ନବଙ୍କ କୁହାଟ
କେନ୍ଦୁଝର, ୮/୫ (ସକାଳଖବର) : ପିସିସି ପୁନର୍ଗଠନ ପରେ କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ଏତେ ଯୋଶ ଭରିଯାଇଛିଯେ, ବିଜେପି ଭଳି ସେମାନେ ମଧ୍ୟ ଆକାଶଛୁଅାଁ ଟାର୍ଗେଟ୍ ଦେବାରେ ଲାଗିଲେଣି । କେନ୍ଦୁଝର ଜିଲ୍ଲା କଂଗ୍ରେସ ବୈଠକରେ ଜିଲ୍ଲାର ସବୁ ଆସନ କଂଗ୍ରେସ ପୋଛିନେବ ବୋଲି ଆସ୍ଫର୍ଦ୍ଧା ପ୍ରକାଶ କରିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ । ତେବେ କେନ୍ଦୁଝର ରାଜନୀତିରେ ଜୟଦେବ ଓ ନିରଞ୍ଜନଙ୍କ ମଧ୍ୟରେ ଥିବା ତିକ୍ତତା ଏଯାଏଁ ଦୂରୀଭୂତ ହୋଇନଥିବାବେଳେ ନବଙ୍କ ସ୍ୱପ୍ନ କେତେଦୂର ପୂରଣ ହେବ ତାହା ସମୟ ହିଁ କହିବ । କଂଗ୍ରେସ ରାଜନୀତିରେ ସବୁବେଳେ କେନ୍ଦୁଝରର ଦବଦବା ରହିଆସିଛି । କେବେ ଜୟଦେବ ଜେନା ତ କେବେ ନିରଞ୍ଜନ ପଟ୍ଟନାୟକ ପିସିସିର ମଙ୍ଗୁଆଳ ହୋଇଛନ୍ତି । କିନ୍ତୁ ବିଜେଡ଼ିର ଜଡ଼ ଏତେ ମଜବୁତ୍ ହୋଇଯାଇଛିଯେ, ଅନ୍ୟମାନଙ୍କୁ ଜିତାଇବା କଥା ଛାଡ଼ ଦୁଇ ବଡ଼ ନେତା ଜୟଦେବ ଓ ନିରଞ୍ଜନ ମଧ୍ୟ ବିଧାନସଭାକୁ ଯିବାରେ ବିଫଳ ହୋଇଛନ୍ତି । ଅବଶ୍ୟ ଏଥିପାଇଁ ଉଭୟ ନିରଞ୍ଜନ ଓ ଜୟଦେବ ହିଁ ଦାୟୀ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହୁଏ । ଉଭୟ ଉଭୟଙ୍କର ପତିଆରା ଦେଖାଇବା ପାଇଁ ପରସ୍ପରର ଗୋଛି କାଟିବାରେ ଲିପ୍ତ ଥିବାରୁ କେନ୍ଦୁଝରରେ କଂଗ୍ରେସ ଉଧେଇ ପାରୁନାହିଁ । କିନ୍ତୁ ପରିବର୍ତ୍ତିତ ରାଜନୀତି ଏବେ ଉଭୟ ଜୟଦେବ ଓ ନିରଞ୍ଜନଙ୍କୁ ଏକାଠି ହେବାକୁ ବାଧ୍ୟ କରିଛି ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା କେତେଦିନ ପର୍ଯ୍ୟନ୍ତ ଜାରି ରହିବ ସେନେଇ ସ୍ୱାଭାବିକ ଭାବେ ଆଶଙ୍କା ପ୍ରକାଶ ପାଇଛି । ଏଆଇସିସି ପ୍ରଭାରୀ ସେଖ ମସ୍ତାନ ଅଲ୍ଲୀଙ୍କ ସହ କାର୍ଯ୍ୟକାରୀ ସଭାପତି ନବ ଦାସ କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲ୍ଲା କଂଗ୍ରେସ କମିଟି ସହ ଆଲୋଚନା କରିଛନ୍ତି । କିନ୍ତୁ ସଭାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଉପସ୍ଥିତ ଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିନଥିଲା । ହୁଏତ ନିରଞ୍ଜନଙ୍କ ଅନୁପସ୍ଥିତି ପଛରେ ତାଙ୍କର କୌଣସି ପ୍ରାକ୍ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଥାଇପାରେ, କିନ୍ତୁ କେନ୍ଦୁଝରରେ ଭିନ୍ନ ଚର୍ଚ୍ଚା ଚାଲିଛି । ଶ୍ରୀକାନ୍ତଙ୍କ ଭଳି ଜୟଦେବ ନିରଞ୍ଜନଙ୍କ ନେତୃତ୍ୱ ନେଇ ଅସନ୍ତୁଷ୍ଟ ଥିବାରୁ ହୁଏତ ଏଭଳି ବ୍ୟତିକ୍ରିମ ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ ନିରଞ୍ଜନ ପଟ୍ଟନାୟକ ଯେତେବେଳେ ପ୍ରଥମ ଥର ପାଇଁ ପିସିସି ସଭାପତି ହୋଇଥିଲେ ସେତେବେଳେ ତାଙ୍କୁ ହଟାଇବା ପଛରେ ଜୟଦେବଙ୍କର ବଡ଼ ଭୂମିକା ରହିଥିଲା । ନିରଞ୍ଜନଙ୍କୁ ହଟାଇ ଜୟଦେବ ହିଁ ପିସିସି ମଙ୍ଗୁଆଳ ହୋଇଥିଲେ । ଯେଉଁଥିପାଇଁ ଜୟଦେବଙ୍କ ନେତୃତ୍ୱରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିରଞ୍ଜନ ଖୋଲାଖୋଲି ଘୋଷଣା କରିଥିଲେ । ଖାଲି ସେତିକିନୁହେଁ ଜୟଦେବଙ୍କ ଅମଳରେ ହିଁ ନିରଞ୍ଜନଙ୍କ ଭାଇ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଜାନକୀ ପଟ୍ଟନାୟକ ସେତେବେଳେ ଆସାମର ରାଜ୍ୟପାଳ ଥିଲେ ମଧ୍ୟ ଜୟଦେବ-ଶ୍ରୀକାନ୍ତ ଓ ଅନ୍ୟ ନେତାଙ୍କ ଚାଲରେ ସୌମ୍ୟଙ୍କୁ ଦଳରୁ ବହିଷ୍କୃତ କରିବା ପଟ୍ଟନାୟକ ପରିବାରକୁ ଶକ୍ତ ଧକ୍କା ଦେଇଥିଲା । ଯାହା କେବେବି ନିରଞ୍ଜନ ଭୁଲିପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ଜୟଦେବ ଓ ନିରଞ୍ଜନ କେମିତି ଏକାଠି ହୋଇ କେନ୍ଦୁଝରରେ କଂଗ୍ରେସକୁ ସୁଦୃଢ଼ କରୁଛନ୍ତି ତାହା ଉପରେ କଂଗ୍ରେସ ନେତାଙ୍କ ନିଘା ରହିଛି ।