ଜାତୀୟ ରାଜପଥ ପାଲଟିଲା କୃତିମ ଜଳାଶୟ

Aug 7, 2018 - 16:56
 447
ଜାତୀୟ ରାଜପଥ ପାଲଟିଲା କୃତିମ ଜଳାଶୟ
ଅନୁଗୋଳ, ୭/୮(ସକାଳଖବର): ଲଗାଣ ବର୍ଷାରେ ଅନୁଗୋଳର ୫୫ ନଂ ଜାତୀୟ ରାଜପଥ ପାଲଟି ଯାଇଛି କୃତିମ ଜଳାଶୟ । ଫଳରେ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ଖାଲଖମାରେ ଗାଡ଼ି ମଟର ପଡ଼ି ଯାତ୍ରୀମାନେ ଖଣ୍ଡିଆ ଖାବରା ହୋଇପଡ଼ିଥିବା ଜଣାଯାଇଛି । ସୂଚନା ଯେ, ୫୫ ନଂ ଜାତୀୟ ରାଜପଥର ନାଲକୋ ସିପିପି ଛକ ଠାରେ ସୃଷ୍ଟି ହୋଇଛି ଏକ କୃତିମ ଜଳାଶୟ । ଏହି ଜଳାଶୟ ଦୀର୍ଘ ଦିନ ଧରି ରହି ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଜଳାଶୟରେ ଆଜି ତିନୋଟି କାର ପଡ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ୫ଜଣ ବାଇକ ଆରୋହୀ ଏହି ଖାଲରେ ପଡ଼ି ଲହୁଲୁହାଣ ହୋଇପଡ଼ିଛନ୍ତି । ସେହି ଭଳି ଅନୁଗୋଳ ସହରର ୫୫ ନଂ. ଜାତୀୟ ରାଜପଥର ହୁଲୁରିସିଂହାଛକ ନିକଟସ୍ଥ ସନ୍ଧ୍ୟା ହୋଟେଲଠାରେ ମଧ୍ୟ ସେହିଭଳି କୃତିମ ଜଳାଶୟ ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଖାଲଖମାରେ ପାଣି ଜମିଥିବା ଯୋଗୁ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସୂଚନା ଯେ, ଜାତୀୟ ରାଜପଥ ବିଭାଗ ଜିଲାରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଥିବାବେଳେ ଜାତୀୟ ରାଜପଥର ଉନ୍ନତିକରଣ ନିମନ୍ତେ ଆଖି ବନ୍ଦ କରିଦେଇଛି । ଯାହାକି ଜନ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାକୁ ଲାଗିଛି । ଏଦିଗରେ ଜାତୀୟ ରାଜପଥ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଅନୁଗୋଳବାସୀ ଦାବି କରିଛନ୍ତି ।