ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି
ଭଦ୍ରକ, ୯/୭ (ସକାଳକବର)- ଭଦ୍ରକ ଜିଲାରେ ଏବେ ଚିଙ୍ଗୁଡି ଘେରି ବଢି ଚାଲିଛି । ଅର୍ଥକାରୀ ମାଛ ଚାଷ ଭାବେ ମସô୍ୟ ବିଭାଗ ପକ୍ଷରୁ ଚିଙ୍ଗୁଡି ଚାଷକୁ ଅଧିକ ପ୍ରୋସôାହନ ଦିଆଯାଉଛି । ଚାଷୀମାନେ ଏଥିପାଇଁ ନିଜର ଜମିରେ ପୋଖରୀ ଖୋଳି ଚିଙ୍ଗୁଡି ଚାଷ କରୁଛନ୍ତି । ମାତ୍ର କିଛି ଚାଷୀ ସରକାରୀ ଜମି ଉପରେ ଜୋର ଜବରଦସ୍ତ ଚିଙ୍ଗୁଡି ଘେରି କରି ଆସୁଛନ୍ତି । ଏଇ ଘଟଣା ଆଜିର ନୁହେଁ, ଭଦ୍ରକ ଜିଲାରେ ବର୍ଷବର୍ଷ ଧରି ଏଇ ବେଆଇନ୍ ମାଛ ଚାଷ ଚାଲି ଆସିଛି । ଏଥିପାଇଁ ସବୁ ଘଟଣା ରାଜସ୍ୱ ବିଭାଗର କର୍ମଚାରୀ ଜାଣୁଛନ୍ତି । ସେମାନଙ୍କ ଜାଣତରେ ସବୁ କିଛି ବେଆଇନ୍ କାର୍ଯ୍ୟ ଚାଲୁଥିବାବେଳେ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ପ୍ରକାଶ ଯେ, ଭଦ୍ରକ ଜିଲା ଧାମରା ଅଂଚଳରେ ଶହ ଶହ ଏକର ଜଙ୍ଗଲ କିସମ ଜମି ଉପରେ ବେଆଇନ୍ ଭାବେ ଚିଙ୍ଗୁଡି ଘେରି କରାଯିବା ନେଇ ଏବେ ପ୍ରତିବାଦର ସ୍ୱର ଉଠିଛି । ଜଙ୍ଗଲ କିସମ ଜମିରେ ଚିଙ୍ଗୁଡି ଚାଷ କରାଯାଉଛି ବୋଲି ଲୋକମାନେ ପ୍ରତିବାଦ କରି ଆସୁଥିବାବେଳେ ଏହି ସବୁ ଜମିରେ ମାଛ ଚାଷ ନକରି ଜଙ୍ଗଲ ସୃଷ୍ଟି କରି ପରିବେଶକୁ ସୁରକ୍ଷିତ ରଖିବାକୁ ଅଂଚଳବାସୀ ଦାବି କରୁଛନ୍ତି । କିଛି ଚିଙ୍ଗୁଡି ମାଫିଆ ପୁଲିସ୍ ଓ ରାଜସ୍ୱ କର୍ମଚାରୀଙ୍କୁ ହାତ କରି ବର୍ଷ ବର୍ଷ ଧରି ଏ ପ୍ରକାର ବେଆଇନ୍ କାର୍ଯ୍ୟ କରି ଚାଲିଛନ୍ତି । ଏଥିରୁ ବି ସେମାନେ ପ୍ରଚୁର ଲାଭ ଉଠାଉଛନ୍ତି । ଧାମରା ଅଂଚଳର କିଛି ଚିଙ୍ଗୁଡି ମାଫିଆ ଏଭଳି ଜଙ୍ଗଲ ଜମିକୁ କରାୟତ କରି ଚିଙ୍ଗୁଡି ଚାଷ କରୁଛନ୍ତି । ଚିଙ୍ଗୁଡି ଚାଷ କରିବା ପାଇଁ ଏହି ମାଫିଆମାନେ ପ୍ରଥମେ ସ୍ଥାନୀୟ ଆରଆଇଙ୍କୁ ହାତକରି ନେଉଛନ୍ତି । ଆଗ ଜମିକୁ ଜବରଦଖଲ ଦେଖାଇ ଦେଉଛନ୍ତି । କିଛିଦିନ ଜବରଦଖଲ କରିବା ପରେ ଏହି ଜମିରେ ମାଫିଆମାନେ ଚିଙ୍ଗୁଡି ପୋଖରୀ କାଟି ମାଛ ଚାଷ କରି ମାଲେମାଲ ହେଉଛନ୍ତି । ଗୋଟିଏ ଗୋଟିଏ ଚିଙ୍ଗୁଡି ଘେରିରୁ ଜଣେ ଜଣେ ଚିଙ୍ଗୁଡି ଚାଷୀ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହି ଚିଙ୍ଗୁଡି ଚାଷୀଙ୍କ ଠାରୁ ଡିଏଫଓ ଭଦ୍ରକ ଠାରୁ ଆରମ୍ଭ କରି ରେଞ୍ଜର ଓ ଫରେଷ୍ଟରମାନେ ବେଶ୍ ମୁନାଫା ଉଠାଇ ନିରବରେ ରହିଯାଉଛନ୍ତି । ଜଙ୍ଗଲ କିସମ ଜମିରେ ଚିଙ୍ଗୁଡି ଘେରି କରିବାକୁ ହେଲେ ପ୍ରଥମେ ଭଦ୍ରକ ଡିଏଫଓଙ୍କ ଅନୁମତି ଆଣିବାର ଆବଶ୍ୟକତା ରହିଛି । ମାତ୍ର ଭଦ୍ରକ ଡିଏଫଓ ଅଫିସର କିଛି କର୍ମଚାରୀ ଏହି ଚିଙ୍ଗୁଡି ମାଫିଆଙ୍କ ସହ ହାତ ମିଳାଇ ଏଭଳି କାମ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ଭଦ୍ରକ ଡିଏଫଓ ଅଫିସର ଗାର୍ଡ ହୁଅନ୍ତୁ କି ରେଞ୍ଜର ହୁଅନ୍ତୁ ସେମାନେ କେବଳ କାଠ ମାଫିଆଙ୍କ ସହ ହାତ ମିଳାଇ ବେଆଇନ୍ କାଠ କଟା ଠାରୁ ଆରମ୍ଭ କରି ବେଆଇନ୍ କରତ କଳ ପର୍ଯ୍ୟନ୍ତ ଚଳାଇବାର ଅନୁମତି ଦେଉଛନ୍ତି । ସେହିଭଳି ଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟି ନକରି, ସେହି ଜମିରେ ବେଆଇନ୍ ଭାବେ କିଛି ଚିଙ୍ଗୁଡି ଚାଷୀଙ୍କ ସହ ହାତ ମେଳାଇ ଏଭଳି ବେଆଇନ୍ କାର୍ଯ୍ୟ ଚାଲୁ ରଖିଛନ୍ତି । ଏଥିପାଇଁ ଜିଲାର ଜଙ୍ଗଲ ସଂପଦ ନଷ୍ଟ ହେଉଥିବା ବେଳେ ନୂଆ ଜଙ୍ଗଲ ସଂପଦ ସୃଷ୍ଟି ହୋଇପାରୁନାହିଁ । କେବଳ ସେତିକି ନୁହେଁ, ଏହି ଚିଙ୍ଗୁଡି ଚାଷ ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଜିଲାର ଏଭଳି ବେଆଇନ୍ ଚିଙ୍ଗୁଡି ଚାଷ ଖୁଲମଖୋଲା ଭାବେ ଚାଲିଥିବାବେଳେ ଏ ସମସ୍ତ ବିଷୟରେ ଭଦ୍ରକ ଡିଏଫଓ ଜାଣି ମଧ୍ୟ ନଜାଣିବା ପରି ରହୁଛନ୍ତି । ଡିଏଫଓଙ୍କ ପରେ ଡିଏଫଓ ବଦଳି ଯାଉଛନ୍ତି । ମାତ୍ର ବଦଳି ପାରୁନାହିଁ ବେଆଇନ୍ ଭାବେ କରାଯାଉଥିବା ଚିଙ୍ଗୁଡି ଚାଷର ଚିତ୍ର । ଚିଙ୍ଗୁଡି ଘେରି କରାଯିବା ଦ୍ୱାରା ଏ ଅଂଚଳରେ ପରିବେଶ ନଷ୍ଟ ହେଉଛି । ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ମାତ୍ର ଏଥି ପ୍ରତି ବନ ବିଭାଗ ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି । ଧାମରା ଅଂଚଳର ଚିଙ୍ଗୁଡି ମାଫିଆମାନେ ପୁଲିସ୍୍, ଆରଆଇ, ବନ ବିଭାଗକୁ ହାତ କରି ଏପରି ବେଆଇନ୍ କାରବାର ଚଳାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଜଙ୍ଗଲ ଜମିରୁ ଚିଙ୍ଗୁଡି ଘେରି ହଟାଇବାକୁ ସ୍ଥାନୀୟ ଲୋକମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବିପ୍ରତି ଅଣଦେଖା କରାଯାଉଛି । ଆଗାମୀ ଦିନରେ ବେଆଇନ୍ ଚିଙ୍ଗୁଡି ଘେରି ଉଚ୍ଛେଦ ଦାବିରେ ଚାନ୍ଦବାଲି ତହସିଲ ଅଫିସ୍ ଓ ଡିଏଫଓ ଅଫିସ୍ ଘେରାଉ କରାଯିବ ବୋଲି ଧାମରାବାସୀ ଚେତାବନୀ ଦେଇଛନ୍ତି ।