ଛତା , ଚପଲ ଓ ସାଇକେଲ କିଣିବାକୁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା
ଭୁବନେଶ୍ୱର,୧୦/୮ (ସକାଳଖବର): ଛତା , ଚପଲ , ଆଲମିରା , ସାଇକେଲ ଓ ଟର୍ଚ୍ଚ ପାଇଁ ଆଶାକର୍ମୀ ମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେହିପରି "ଆଶା ଅବ୍ୟାହତି ଯୋଜନା' ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଣିକି "ଆଶା'ମାନେ ଅତି କମରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଲେ ଅବା ୬୨ ବର୍ଷ ବୟସରେ କାର୍ଯ୍ୟରୁ ଅବ୍ୟାହତି ନେଲେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ୪୭ ହଜାରରୁ ଉର୍ଦ୍ଧ ଆଶାକର୍ମୀ ଉପକୃତ ହେବେ ।
ଆମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ଜଣାଶୁଣା ନା ହେଉଛନ୍ତି ଆଶାକର୍ମୀ । ଆଶା ଦିଦି ଭାବରେ ଗାଁ ଗାଁରେ ସମେସ୍ତେ ଜାଣନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ବହୁତ ବେଶୀ । ମା ଓ ଶିଶୁ ମାନଙ୍କର ଯତ୍ନ ହେଉ ବା ମାଲେରିଆ , ଡାଇରିଆ , ଟିବି ଓ କୁଷ୍ଠ ପରି ସ୍ୱାସ୍ଥ୍ୟ ସମସ୍ୟା । ଏଥିପାଇଁ ଦରକାର ସଚେତନତା । ଏ ଦିଗରେ ଆଶାକର୍ମୀମାନେ ଭଲ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୁକ୍ରବାର ଦିନ ସଚିବାଳୟ ଠାରେ ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କର ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହା କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗର୍ଭବତୀ ମା ମାନଙ୍କର ଯତ୍ନ ଓ ସେମାନଙ୍କୁ ଡାକ୍ତରଖାନାକୁ ଆଣିବା , ନବଜାତ ଶିଶୁମାନଙ୍କର ଠିକ୍ ଯତ୍ନ ନେବା ଦିଗରେ ସେମାନଙ୍କ ଉଦ୍ୟମ ଯୋଗୁଁ ମା ଓ ଶିଶୁ ମୃତ୍ୟୁ ରୋକିବାରେ ଓଡିଶା ଭଲ କାମ କରୁଛି । ଆଶାକର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ରହିଛି । ଗତବର୍ଷ ସେମାନଙ୍କର କେତେକ ଦାବି ସରକାର ପୂରଣ କରିଛନ୍ତି । ଆଗକୁ ଆଶାକର୍ମୀମାନେ ଆହୁରି ନିଷ୍ଠାର ସହିତ କାମ କରିବେ ଏବଂ ଗାଁ ମାନଙ୍କରେ ରହୁଥିବା ଲୋକମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ