ଚିନ୍ତାଗ୍ରସ୍ତ ଶ୍ରୀକାନ୍ତ, କିଏ ହେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ?

May 1, 2018 - 09:54
 122
ଚିନ୍ତାଗ୍ରସ୍ତ ଶ୍ରୀକାନ୍ତ, କିଏ ହେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ?
ବନେଶ୍ୱର, ୧/୫(ସକାଳଖବର) :‘ପୁଅ ନାହିଁ ମା ପେଟରେ, ପୁଅର ବାପା ମାଳି ଗଢ଼ାଉଛି ବନମାଳିପୁର ହାଟରେ...’ । କଂଗ୍ରେସ ରାଜନୀତି ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଆଭିମୁଖ୍ୟ ଅନୁଶୀଳନ କଲେ ଏହି ଢଗଟ ବେଶ୍ ପ୍ରଯୁଜ୍ୟ ମନେହୁଏ । ପଂଚାୟତ ନିର୍ବାଚନ ହେଉ କି ବିଜେପୁର ଉପନିର୍ବାଚନ ହେଉ ତିନି ନମ୍ବର ସ୍ଥାନକୁ ଠେଲି ହୋଇଥିବା କଂଗ୍ରେସ ୨୦୧୯ରେ କି ସଫଳତା ହାସଲ କରିବ, କେତେ ଆସନ ପାଇବ ତାହାର କୌଣସି ଠିକ୍ ଠିକଣା ନଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଶ୍ରୀକାନ୍ତ ବେଶ୍ ଚିନ୍ତିତ ଥିବା ମନେହେଉଛି । କଂଗ୍ରେସ ଅଳିନ୍ଦରୁ ମିଳିଥିବା ଖବର ଅନୁଯାୟୀ ଶ୍ରୀକାନ୍ତ ଜେନା ଏବେ ଇସ୍ତାହାର କମିଟି ଅଧ୍ୟକ୍ଷ ଅଛନ୍ତି । ତେବେ କମିଟିରେ କିଏ ରହିବ, ସେମାନଙ୍କର କାର୍ଯ୍ୟ କ’ଣ ରହିବ ତାହାର କିଛି ଇୟତା ନାହିଁ । ହେଲେ ଆଗତୁରା ଶ୍ରୀ ଜେନା କଂଗ୍ରେସ ଇସ୍ତାହାର ଏକ ନୀଳନକ୍ସା ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି । ଏମିତିକି ଏହି ଇସ୍ତାହାର ମୁଖବନ୍ଧର ଏକକିତା ନକଲ ସେ ଏଆଇସିିସି ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଠାଇଛନ୍ତି । ‘ପ୍ରିଏମବଲ ଅଫ କଂଗ୍ରେସ ମାନିଫେଷ୍ଟୋ ଫର ୨୦୧୯ ଇଲେକ୍ସନସ ଇନ୍ ଓଡ଼ିଶା’ ଶୀର୍ଷକ ଏକ ଛୋଟିଆ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ଜଣେ ଓବିସି କିମ୍ବା ଏସଇବିସି ବର୍ଗର ନେତା ମୁଖ୍ୟମନ୍ତ୍ରୀ ହେବେ । ଅର୍ଥାତ୍ ସାଧାରଣ ବର୍ଗରୁ ଆସିଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ରୋକିବା ପାଇଁ ଶ୍ରୀକାନ୍ତ ଆଗତୁରା ଚକ୍ରାନ୍ତ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକିନୁହେଁ ଜଣେ ଏସସି ଓ ଏସଟି ନେତା ଉପମୁଖ୍ୟମନ୍ତ୍ରୀ ହେବେ । ଅର୍ଥାତ କାର୍ଯ୍ୟକାରୀ ସଭାପତି ଥିବା ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଉପମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ସେହିପରି ତାଙ୍କ ହିସାବରେ ପ୍ରଦୀପ ମାଝୀ ଉପମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ହାସଲ କରିବାର ଥିଲେ ହେଁ ସେ ବିଧାୟକ ହେବାର ସମ୍ଭାବନା କ୍ଷୀଣ । ତେବେ ଜୟଦେବ ଜେନାଙ୍କୁ ସୁଯୋଗ ମିଳିପାରିବ ବୋଲି ଜଣେ କଂଗ୍ରେସ ଯୁବନେତା ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ଦେଖିଲେ ସେ ନିଜକୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପେଶ୍ କରିବା ପାଇଁ ପ୍ରୟାସ କରୁଥିବା ଜଣେ ଯୁବନେତା ତାଚ୍ଛଲ୍ୟ କରିଛନ୍ତି । ଅପ୍ରେଲ ୨୩ରେ ଶ୍ରୀକାନ୍ତ ଜେନା ଦେଇଥିବା ଚିଠିରେ ଉଲ୍ଳେଖ କରିଛନ୍ତିଯେ, ମାନିଫୋଷ୍ଟା କମିଟିର ଅଧ୍ୟକ୍ଷ ଭାବେ ସେ କେତେକ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି । ଯେଉଁ ମୁଖବନ୍ଧରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ସଂକ୍ରାନ୍ତୀୟ ପ୍ରସ୍ତାବ ଦିଆଯାଇଛି । ରାଜନୈତିକ ପ୍ରତିନିଧିତ୍ୱ ସଂକ୍ରାନ୍ତରେ ଶ୍ରୀକାନ୍ତ ଉଲ୍ଳେଖ କରିଛନ୍ତିଯେ, ରାଜ୍ୟରେ ଓବିସି ଓ ଏସଇବିସି ବର୍ଗର ଲୋକସଂଖ୍ୟା ୫୪% ଥିବାବେଳେ ଏସି ୧୬% ଓ ଏସଟି ୨୨.୫% ରହିଛନ୍ତି । ରାଜ୍ୟରେ ଏମାନଙ୍କର ସଂଖ୍ୟା ୯୨% ଥିବାବେଳେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଓବିସି ବା ଏସଇବିସିରୁ ମୁଖ୍ୟମନ୍ତ୍ରୀ, ଏସସି ଓ ଏସଟିରୁ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସେହିପରି ଅର୍ଥନୈତିକ ନ୍ୟାୟ ସମ୍ପର୍କରେ ଉଲ୍ଳେଖ କରିବାକୁ ଯାଇ ଶ୍ରୀକାନ୍ତ ଉଲ୍ଲେଖ କରିଛନ୍ତିଯେ, ଖଣି ମାଫିଆମାନଙ୍କୁ ଲୋକମାନଙ୍କ ସାମାଜିକ ଓ ରାଜନୈତିକ ଜୀବନରୁ ଦୂରେଇ ରଖିବାକୁ ପଡ଼ିବ । ରାଜ୍ୟର ଖଣିଜ ସମ୍ପଦ ଲୋକଙ୍କ ହିତ ପାଇଁ ବ୍ୟବହାର କରିବା ଦରକାର । ବେଆଇନ୍ ଖଣି ମାଫିଆମାନେ ବର୍ଷବର୍ଷ ଧରି ଓଡ଼ିଶାର ଖଣିଜସମ୍ପଦକୁ ଲୁଟ୍ କରି ଚାଲିଛନ୍ତି । ଶାହା କମିଶନଙ୍କ ରିପୋର୍ଟ ଅନୁସାରେ ଏହାର ପରିମାଣ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ । ତେଣୁ ସବୁ ମାଇନିଂ ଲିଜକୁ ବାତିଲ କରିବା ସହ ତାହା ରାଜ୍ୟ ସରକାରଙ୍କ ଅଧିନକୁ ଆସିବା ଦରକାର । କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ବେଆଇନ ଖଣି ମାଲିକଙ୍କ ସମ୍ପତି ବାଜ୍ୟାପ୍ତ କରିବା ସହ ସେହି ସମ୍ପତିକୁ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତିଭୂମି ବାବଦରେ ଖର୍ଚ୍ଚ କରାଯିବ । ସାମାଜିକ ନ୍ୟାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯେ, କଂଗ୍ରେସ କ୍ଷମତାକୁ ଆସିବାର ୩୦ ଦିନ ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଣ୍ଡଳ କମିଶନଙ୍କ ସୁପାରିଶ୍ ଲାଗୁ କରାଯିବ । ଏହି ଇସ୍ତାହାର ମୁଖବନ୍ଧକୁ ଜିତେନ୍ଦ୍ର ସିଂହ ଓ ରାହୁଲ ଗାନ୍ଧୀଙ୍କୁ ପ୍ରେରଣ କରାଯାଇଥିବାବେଳେ ରାହୁଲ ଗାନ୍ଧୀ ଏହାକୁ ପ୍ରଂଶସା କରିଥିବା ଶ୍ରୀ ଜେନାଙ୍କ ସମର୍ଥକମାନେ ପ୍ରଚାର କରୁଥିବା ଜାଣିବାକୁ ମିଳିଛି ।