ଚହଳ ପକାଇଛି ‘ଝୁଲ୍‌ରେ ନିତାଇ ଝୁଲ୍‌’: ନାରଦ ଭୂମିକା ‘ପପୁ’, ଜିଣୁଛନ୍ତି ଦର୍ଶନଙ୍କ ମନ

Jun 28, 2022 - 09:22
 56
ଚହଳ ପକାଇଛି ‘ଝୁଲ୍‌ରେ ନିତାଇ ଝୁଲ୍‌’: ନାରଦ ଭୂମିକା ‘ପପୁ’, ଜିଣୁଛନ୍ତି ଦର୍ଶନଙ୍କ ମନ
ନୟାଗଡ଼ ୨୮।୦୬ : ଫେସବୁକ୍‌ ଠାରୁ ଇନଷ୍ଟାଗ୍ରାମ୍‌ ପର୍ଯ୍ୟନ୍ତ ଯେଉଁଠି ପେଜ୍‌ ଖୋଲିବେ ତାଙ୍କୁ ହିଁ ଦେଖିବେ ଆଉ ତାଙ୍କ ସୁଲଳିତ କଣ୍ଠରୁ ଶୁଣିବାକୁ ପାଇବେ ଏମିତି ଏକ ଗୀତ ଯାହା ଏବେ ସୋସିଆଲ ମିଡିଆର ସେନସେସନ୍‌ ପାଲଟିଯାଇଛି । ସେଇ ଗୀତଟି ହେଉଛି ‘ଝୁଲ୍‌ରେ ନିତାଇ ଝୁଲ୍‌’ । ମାତ୍ର ୧୫ରୁ ୨୦ ଦିନ ଭିତରେ ଏହି ଗୀତଟିକୁ ୧ ମିଲିୟନ ଦର୍ଶକ ଦେଖିସାରିଲେଣି । ଆଉ ହଜାର ହଜାର ଲୋକ ଏହାକୁ ସେୟାର କରିସାରିଲେଣି । ଏହି ଗୀତଟିକୁ ମଞ୍ଚ ଉପରେ ସିଏ ଗାଇବା ସହ ନିଖୁଣ ଅଭିନୟ କରୁଛନ୍ତି ସେ ହେଲେ ପପୁ ବିଶ୍ୱାଳ(୨୨) । ଘର ନୟାଗଡ଼ ବ୍ଲକ ଭାଟସାହି ଗ୍ରାମରେ । ବର୍ତ୍ତମାନ ସେ ଲଡ଼ୁବାବା ପାର୍ଟି( ଲଡ଼ୁବାବା କଳା ସଂସଦ) ଶରଣକୁଳରେ ୫ ବର୍ଷରୁ ଅଧିକ ଦିନ ହେବ ଯୋଗ ଦେଲେଣି । ପ୍ରାୟତଃ ତାଙ୍କୁ ନାରଦ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥାନ୍ତି । ପପୁ କୁହନ୍ତି ଯେ ମାଟ୍ରିକ ପରୀକ୍ଷା ସରିବା ପରେ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । କାରଣ ତାଙ୍କ ପରିବାରର ୩ପୁରୁଷ ଧରି କଳାରେ ଅଭିନୟ କରୁଆସୁଛନ୍ତି । ଫଳରେ ସେ କଳାକୁ ଆଦରି ନେଇଥିଲେ । ତେବେ ମାଟ୍ରିକ୍‌ ପାଠ ଶେଷ କରିବା ପରେ ଅର୍ଥ ଅଭାବରୁ ଆଉ ପାଠପଢି ପାରି ନଥିଲେ । ପରିବାରକୁ ପଇସା ଦରକାର ଥିବାରୁ ଏଥିରେ ପାଦ ଥାପିଲେ । ଦୀର୍ଘ ୧୦ ବର୍ଷ ହେଲା ସେ ବିଭିନ୍ନ ପାଟିରେ ଅଭିନୟ କରି ଆସୁଛନ୍ତି । ମାସକୁ ତାଙ୍କୁ ପ୍ରାୟ ୧୦ ହଜାର ଟଙ୍କା ମିଳୁଛିବୋଲି ପପୁ କହିଛନ୍ତି ।ସ୍ଥାନୀୟ ଅଞ୍ଚଳରେ ଅନେକ ରାମଲୀଳା ପାର୍ଟିରେ ନାଟକ ପରିବେଷଣ କରୁଥିବା ବେଳେ ପପୁ ସେଥିରେ ଯୋଗଦେଇ ନିଜ କଳାର ପରିପ୍ରକାଶ କରାଇଥିଲେ । ସେ ଉଭୟ ଅଭିନୟ ଓ ଗୀତ ଗାଇବା ସହିତ ଏପରି ଆକର୍ଷଣୀୟ ନୃତ୍ୟ ପରିବେଷଣ କରନ୍ତି ଯାହା ଦର୍ଶକଙ୍କୁ ବିମୋହିତ କରିଥାଏ । ତାଙ୍କର ଏକ ଲୋକପ୍ରିୟ ଗୀତ ହେଉଛି ‘ହେ ରଘୁରାଣ ଘେନ ବଚନ’ । ଯାହା ସେଇ ରାମଲୀଳା ନାଟକର କିୟଦଂଶ । ଅନେକ ସମୟରେ ଅବିରତ ଭାବେ ଅଭିନୟ କରି ସେ ଅସୁସ୍ଥ ହୋଇପଡ଼ିବା କଥା ମଧ୍ୟ କହିଛନ୍ତି । ତଥାପି ସେ ଅଭିନୟକୁ ନିଜ ଜୀବନର ମୂଳ ଲକ୍ଷ୍ୟ ଭାବେ ବାଛିନେଇଛନ୍ତି । ସୋସିଆଲ ମିଡିଆରେ ଏବେ ଖାଲି ପପୁଙ୍କ ରାଜ୍‌ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।