ଚଳିତ ବଜେଟ୍ ଭାରତବାସୀଙ୍କୁ ଲଲିପପ୍ ଭଳି - ପଂଚାନନ

Feb 2, 2019 - 18:24
 138
ଚଳିତ ବଜେଟ୍ ଭାରତବାସୀଙ୍କୁ ଲଲିପପ୍  ଭଳି - ପଂଚାନନ
ଭୁବନେଶ୍ୱର,୨/୨(ସକାଳଖବର): ଗତକାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍ ଏକ ନିର୍ବାଚନୀ ବଜେଟ୍, ଏହା ପୂର୍ଣ୍ଣାଙ୍ଗ ବଜେଟ୍ ନୁହେଁ । ନିର୍ବାଚନ ଆଗକୁ ଥିବା ବେଳେ ଭାରତବର୍ଷର ଜନଗଣଙ୍କୁ ଲଲିପପ୍ ଦେଖାଇବା ପାଇଁ ଏହା ଅଭିପ୍ରେତ । ଆୟକର ସୀମା ୫ ଲକ୍ଷ ବୃଦ୍ଧି କରି ମଧ୍ୟବିତଙ୍କୁ ଖୁସି କରିବା ଏକ ଜୁମ୍ଲା । ଯୁବକମାନଙ୍କୁ ବର୍ଷକୁ ଦୁଇ କୋଟି ନିଯୁକ୍ତି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଗଲା । ବଜେଟ୍ରେ ମୋଦି ସରକାର ଯୁବକମାନଙ୍କୁ ସଂପୂର୍ଣ୍ଣ ଭୁଲିଗଲେ । କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ କୃଷିଋଣ ଛାଡ ଘୋଷଣା ଡରରେ କୃଷକମାନଙ୍କ ପାଇଁ ଯାହା କରିଛନ୍ତି ଆଗାମୀ ଦିନରେ ଏହାର ତର୍ଜମା କରାଯିବ । ୪ ବର୍ଷ ମଧ୍ୟରେ କୃଷି ଓ କୃଷକକୁ ଭୁଲି ଯାଇଥିବା ସରକାର ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଏଭଳି ଏକ ବଜେଟ୍ ଉପସ୍ଥାପନ କରି ବାହାବା ନେବାକୁ ଯେଉଁ ଚେଷ୍ଟା କରିଛନ୍ତି ତାହା ତାଙ୍କ ପାଇଁ ଆଗାମୀ ଦିନରେ କାଳ ହେବ ବୋଲି ବରିଷ୍ଠ ରାଜନେତ । ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟରେ କାଳିଆ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି ଯେ ନବୀନ ସରକାରଙ୍କ କାଳିଆ ଯୋଜନାର ନିର୍ଦ୍ଧିଷ୍ଟ ଭାବରେ କୌଣସି ନୀତି ନିୟମ ନାହିଁ । ଭାଗଚାଷୀ କିଏ, କୃଷି ଶ୍ରମିକ କିଏ, ନାମମାତ୍ର ଚାଷୀ କିଏ ସରକାରଙ୍କ ପାଖରେ ରେକର୍ଡ ନଥିବା ବେଳେ ଓଡିଶାର ଜନଗଣଙ୍କ ଟିକସକୁ ଯେଭଳି ଭାବରେ ଶାଗମାଛ ପରି ବାଂଟିବାକୁ ଲାଗିଛନ୍ତି ଆଗାମୀ ଦିନରେ ପ୍ରକୃତ ଚାଷୀମାନେ ତା’ର ଜବାବ ଦେବେ । ୧୮ ବର୍ଷ ଭିତରେ କୃଷି ଓ କୃଷକକୁ ଭୁଲି ଯାଇଥିବା ସରକାର କାଳିଆ-ବଳିଆରେ ଲୋକଙ୍କୁ ଭୁଲାଇପାରିବେ ନାହିଁ । ଓଡିଶାର ଚାଷୀକୂଳ ଭୁବନେଶ୍ୱରରେ ପୋଲିସ ମାଡକୁ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଆଗାମୀ ଦିନରେ ନବୀନବାବୁଙ୍କୁ ସେମାନେ ଜବାବ ଦେବେ । ଅନ୍ୟପକ୍ଷରେ ଗତ ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଶ୍ରୀ କାନୁନ୍ଗୋ କଂଗ୍ରେସ ଦଳରେ ଯୋଗଦେବା ପରେ ସେ କାହିଁକି କଂଗ୍ରେସ ଦଳରେ ଯୋଗଦେଲେ ପ୍ରଶ୍ନର ଉତରରେ କହିଥିଲେ ଯେ ଭାରତବର୍ଷରେ କଂଗ୍ରେସ ଦଳ ଏକମାତ୍ର ଦଳ ଯାହା ଜନସାଧାରଣଙ୍କ ଦଳ । ମୁଁ ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦର୍ଶରେ ନିଜକୁ ପ୍ରତିଷ୍ଠା କରିଛି । ପୂର୍ବ ଦିନମାନଙ୍କରେ ଏକଦା ମୁଁ ଛାତ୍ର କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ଥିଲି । ମୋ ପାଇଁ କଂଗ୍ରେସ ଦଳ ନୂଆ ନୁହେଁ । ବର୍ତମାନ ଭାରତବର୍ଷର ରାଜନୀତିରେ ଗଣତନ୍ତ୍ରକୁ ଯେଭଳି ଭାବରେ ହତ୍ୟା କରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର ଚାଲିଛି, କଂଗ୍ରେସ ଦଳ ହିଁ ତା’ର କେବଳ ମୁକାବିଲା କରିପାରିବ । ଗୁଣ୍ଡୁଚି ମୂଷା ଭଳି ସେତୁବନ୍ଧରେ ମାଟି ପକାଇବା କାର୍ଯ୍ୟ କରିବା ପାଇଁ ନିଷ୍ପତି ନେଇ ମୁଁ କଂଗ୍ରେସ ଦଳରେ ଯୋଗ ଦେଇଛି । ଜୀବନକାଳ ଭିତରେ ଗୋଟିଏ ରୋବର୍ଟ ନେତୃତ୍ୱ ପାଖରେ କାର୍ଯ୍ୟ କରିବା ଓ ମଣିଷକୁ ଭଲ ପାଉଥିବା ଜଣେ ମଣିଷ ପାଖରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ମୁଁ ପାଥେୟ କରି କାର୍ଯ୍ୟ କରିବେ ବୋଲି ସେ କହିଥିଲେ ।