ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Feb 2, 2019 - 17:43
 181
ବାରିପଦା, ୧/୨(ସକାଳଖବର): ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଚଂନା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଉତର ଓଡ଼ିଶା ଜୋନର ସଭାପତି ସୁବ୍ରମଣ୍ୟମ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିଦେଶରୁ କଳାଧନ ଫେରାଇ ଆଣିବା, ଜନଧନ ଆକାଉଂଟରେ ୧୫ ଲକ୍ଷ ଲଙ୍କା ଦେବା, ପ୍ରତ୍ୟେକ ବର୍ଷ ଦୁଇ କୋଟିର ନିଯୁକ୍ତି, ୩୦/୩୫ ଟଙ୍କା ମୂଲ୍ୟରେ ପେଟ୍ରୋଲ ଡ଼ିଜେଲ ଯୋଗାଇବା, ସଂସଦକୁ ଅପରାଧ ମୁକ୍ତ କରାଇବା ଏବଂ ଅଚ୍ଛେଦିନ ଆସିବାର ସ୍ୱପ୍ନ ଦେଖାଇ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଗଲେ । କିନ୍ତୁ, ପରବର୍ତି ସମୟରେ ତାଙ୍କର ସମସ୍ତ ପ୍ରତିଶୃତି ଜୁମୁଲା ସାବ୍ୟସ୍ତ ହେଲା । ଅଧିକନ୍ତୁ ଜନସାଧାରଣଙ୍କ ଜମାଖାତାରୁ ସର୍ବନିମ୍ନ ଜମା ଆଳରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଗଲେ । ବିଜେପିର କେବଳ ନିର୍ବାଚନ ଆସିଲେ ମନ୍ଦିର, ମସଜିଦ କଥା ମନେପଡ଼ିଥାଏ । ସେହିପରି ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସମସ୍ତ ସୀମାକୁ ଅତିକ୍ରମ କରିଯାଇଛି ଏବଂ ପ୍ରତ୍ୟେକ ସ୍ତରରେ କେନ୍ଦ୍ର ରାଜ୍ୟକୁ ଯୋଗାଉଥିବା ଅଂଶକୁ ହ୍ରାସ କରିଥିବା ବେଳେ କେତେକ ବିଭାଗରେ ବନ୍ଦ ମଧ୍ୟ କରିଦେଇଛି ବୋଲି କହିଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁଠାରୁ ବଡ଼ ଚୋର ବୋଲି ସମାଲୋଚନା କରିବା ସହିତ ଚୈାକିଦାର ସାଜି କେନ୍ଦ୍ରରେ ବସିଥିବା ବେଳେ ନିରୋଜ ମୋଦି, ବିଜୟ ମାଲ୍ୟା ପ୍ରମୁଖ ଦେଶରୁ କୋଟିକୋଟି ଟଙ୍କା ନେଇ ବିଦେଶ ପଳାଇଗଲେ । ଏଥି ସହିତ ମୋଦୀ ମିଛ ଭାଷଣ ଦେଇ ଦେଶବାସୀଙ୍କୁ ପ୍ରତାରିତ କରିଚାଲିଛନ୍ତି ବୋଲି କହିଥିବା ବେଳେ ମୋରଡ଼ା ବିଧାୟକ ତଥା ବିଜେଡ଼ିର ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ବୃତି ଆକାରରେ ଯୋଗାଇ ଦେଉଥିବା ୯୦ ପ୍ରତିଶତ ଅଂଶକୁ କାଟଛାଟ କରାଇ ୨୦ ପ୍ରତିଶତରୁ କମ୍ ରେ ପହଂଚାଇଛନ୍ତି । ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଛାତ୍ରବୃତି ପାଣ୍ଠି ଅଦ୍ୟାବଧି ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଛାତ୍ରବୃତି ପାଉଥିବା ମୟୂରଭଞ୍ଜ ଜିଲ୍ଲାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପ୍ରତି ଏକ ପ୍ରବଚଂନା, ପ୍ରତାରଣା ବୋଲି କହିଥିଲେ ।