‘କାହ୍ନା’ପାଇବ ନୂଆ ଚେହେରା
ଗଞ୍ଜାମ,୨୬/୦୭ (ସକାଳଖବର): ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗୟାଗଣ୍ଡା ଗ୍ରାମର ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ ଆଜି ବ୍ରହ୍ମପୁର ବଡ ମେଡିକାଲରେ ହୋଇଥିବା ବେଳେ ଏହା ସଫଳ ହୋଇଥିବା ଡାକ୍ତରୀ ଟିମ୍ ର ମୁଖ୍ୟ କହିଛନ୍ତି । ଏକ ୧୨ ଜଣିଆ ଡାକ୍ତରୀ ଟିମ୍ ପ୍ରାୟ ସାଢେ଼ ୫ ଘଂଟାର ଏହି ଅପରେସନରେ ସାମିଲ୍ ଥିଲେ । ତିନି ମାସ ପରେ ପୁଣି ଏକ ଅପରେସନ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ କାହ୍ନାକୁ ସର୍ଜରୀ ବିଭାଗ ୩୨୮ ନମ୍ବର ବେଡ୍ରୁ ନିଆଯାଇ ମୁଖ୍ୟ ଅସ୍ତ୍ରୋପଚାର ଗୃହରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ପ୍ରସ୍ତୁତ ରହିଥିବା ସର୍ଜରୀ, ଶିଶୁ ଓ ନିଶ୍ଚେତକ ବିଭାଗର ୧୨ ଜଣିଆ ଡାକ୍ତର ଦଳ ଓ ସହଯୋଗୀ ଅସ୍ତ୍ରୋପଚାର କାର୍ୟ୍ୟ ଆରମ୍ଭ କରିଥିଲେ। ପ୍ଳାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ରାଜୁ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ବିରଳ ଅସ୍ତ୍ରୋପଚାରରେ ନିଶ୍ଚେତକ ବିଭାଗ ପ୍ରଫେସର ଲକ୍ଷ୍ମୀଧର ଦାସ, ସହକାରୀ ପ୍ରଫେସର ପ୍ରଭାତୀ ମିଶ୍ର, ସହାକରୀ ପ୍ରଫେସର ବିଶ୍ୱଜିତ ମିଶ୍ର, ଡାକ୍ତର କିରଣ କୁମାର କର, ଡାକ୍ତର ଶୁଭାଶିଷ ପାତ୍ର, ଡାକ୍ତର ସନ୍ତୋଷ ମିଶ୍ର, ଡାକ୍ତର ସ୍ବଭାଗ୍ୟ ଦାସ ପ୍ରମୁଖ ସାମିଲ ଥିଲେ।ବର୍ତ୍ତମାନ କାହ୍ନାକୁ ପିକୁ (ପେଡିଆଟ୍ରିକ୍ ଇଣ୍ଟେନସିଭ୍ କେୟାର ୟୁନିଟ)ରେ ଆଗାମୀ ୭ ଦିନ ପାଇଁ ରଖାଯିବ।