ଆଦର୍ଶ ସାମୁହିକ ବିବାହ
ଅନୁଗୋଳ,୧୦/୨(ସକାଳଖବର): ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଉକôଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଦର୍ଶ ସାମୂହିକ ବିବାହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୫୫ ନବଦମ୍ପତି ସାମୂହିକ ବିବାହରେ ଯୋଗଦେଇ ନୂତନ ସଂସାର ଆରମ୍ଭ କରିଛନ୍ତି । ଆଦର୍ଶ ବିବାହ ବିଭିନ୍ନ ଲୋକଲ୍ୟାଣକାରୀ କାର୍ଯ୍ୟ ଓ ସମାଜ ସେବାରେ ଖ୍ୟାତି ଅର୍ଜନ କରିଥିବା ମାରୱାଡ଼ି ସମ୍ମିଳନୀ ସାମାଜିକ ଦାୟିତ୍ୱବୋଧର ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସମାଜର ଆର୍ଥôକ ଅନଗ୍ରସର ବର୍ଗକୁ ସମ୍ମାନର ସହିତ ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପାଇଁ ସୁଯୋଗ ସୃଷ୍ଟିକରି ସଂଗଠନର ସାମାଜିକ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦିତ କରିଛି । ପ୍ରକାଶ ଥାଉକି, ନୂଆପଡ଼ାର ପୂର୍ବତନ ବିଧାୟକ ତଥା ସମାଜସେବୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଡେ଼ାଲକିଆଙ୍କ ଦ୍ୱାରା ବିଗତ କିଛି ବର୍ଷଧରି ଖରିଆରରୋଡ଼ଠାରେ ଅନୁଷ୍ଠିତ ହେଉଥିବା ଆଦର୍ଶ ସାମୁହିକ ବିବାହର ସୁଦୂର ପ୍ରସାରୀ ପ୍ରଭାବରେ ପ୍ରଭାବିତ ଅନୁଗୋଳର ବଦାନ୍ୟ ମାରୱାଡ଼ି ସମାଜ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ସଂସ୍ଥାମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମାହିତ କରିପାରିଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠିତ ସଭାରେ ଉକôଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଅନୁଗୋଳ ଶାଖାର ସଭାପତି ଲଡ଼ୁକେଶ୍ୱର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓ ମହାବୀର ପ୍ରସାଦ ଅଗ୍ରୱାଲଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାନସଭା କ୍ଷେତ୍ରର ବିଧାୟକ ରଜନୀକାନ୍ତ ସିଂହ ଓ ସମ୍ମାନୀତ ଅତିଥିଭାବେ ରାଜେନ୍ଦ୍ର ପ୍ରସାଦ ଡେ଼ାଲକିଆ, ଅଶୋକ ଜୀ ଜାଲାନ, ଗୌରୀଶଙ୍କର ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଅନୁଗୋଳ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା ବୋଲି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସହଯୋଗୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମୁହିକ ବିବାହର ବିବରଣୀ ଜିତେନ୍ଦ୍ର କୁମାର ଗୁପ୍ତା ଓ ନନ୍ଦୁଲାଲ ଅଗ୍ରୱାଲ କରିଥିବା ବେଳେ ପୁରୁଷୋତ୍ତମ ଅଗ୍ରୱାଲ ମଞ୍ଚ ସଞ୍ଚାଳନ କରିଥିଲେ । ସଭାକାର୍ଯ୍ୟର ଅନ୍ତିମ ଚରଣରେ ମାତାଦିନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତିକୁଞ୍ଜ ହରିଦ୍ୱାରା ଗାୟତ୍ରୀ ପରିବାରର ଦେବଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ସଂପୂର୍ଣ୍ଣ ହିନ୍ଦୁ ବୈଦିକ ରୀତିରେ ଏକ ଭାବପୂର୍ଣ୍ଣ ପରିବେଶରେ ମୋଟ ୧୪ ଗୋଟି ମଣ୍ଡପରେ ଏହି ଆଦର୍ଶ ବିବାହ ସମ୍ପନ୍ନ କରାଯାଇଥିଲା ।