କାନପୁର ଟେଷ୍ଟ ଡ୍ର, ଭାରତ ହାତରୁ ଅଳ୍ପକେ ଖସିଗଲା ବିଜୟ

Nov 29, 2021 - 11:28
 55
କାନପୁର ଟେଷ୍ଟ ଡ୍ର, ଭାରତ ହାତରୁ ଅଳ୍ପକେ ଖସିଗଲା ବିଜୟ
କାନପୁର : କାନପୁରଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ହୋଇଯାଇଛି । ୨୮୪ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୯ ଓ୍ବିକେଟରେ ୧୬୫ ରନ କରିଥିବାବେଳେ ସ୍ବଳ୍ପ ଆଲୋକ ଯୋଗୁଁ ଅମ୍ପାୟାର ଖେଳ ସମାପ୍ତି ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ଲିଥମ ୫୨ ରନ, ଓ୍ବିଲିୟମ ସମରଭିଲ୍ଲେ ୩୬ ଓ ଅଧିନାୟକ କେନ ଓ୍ବିଲିୟମସନ ୨୪ ରନ କରିଥିଲେ । ମାତ୍ର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ସାମନା କରିପାରିନଥିଲେ । ତେବେ ନ୍ୟୁଜିଲାଣ୍ଡର ଭାରତୀୟ ବଂଶୋଦ୍ଭବ ଖେଳାଳି ରଚିନ ରବିନ୍ଦ୍ରଙ୍କ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଭାରତୀୟ ବିଜୟରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଲଗାଇଥିଲେ । ସେ ୯୧ଟି ବଲ ଖେଳି ୧୮ ରନ କରିଥିଲେ ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରେୟସ ଆୟର ନିଜର ଡେବ୍ୟୁ ମ୍ୟାଚରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଲିଥମ ୯୫ ଓ ଓ୍ବିଲ ୟଙ୍ଗ୍ ୮୯ ରନ କରିଥିଲେ । ଭାରତ ନିଜର ୨ୟ ଇନିଂସରେ ୭ ଓ୍ବିକେଟରେ ୨୩୪ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା । ଭାରତର ୨ୟ ଇନିଂସରେ ମଧ୍ୟ ଆୟର ସର୍ବାଧିକ ୬୫ ରନ କରିଥିଲେ ।