କଲକାତା ନାଇଟ ରାଇଡର୍ସ କୁ ୧୩ ରନ୍ରେ ପରାସ୍ତ କରି ଫାଇନାଲ୍ରେ ହାଇଦ୍ରାବାଦ
କୋଲ୍କାତା: ଏକାଦଶ ସଂସ୍କରଣ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ରେ ରବିବାର ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଭେଟିବ ସନ୍ରାଇଜର୍ସ ହାଇଦ୍ରାବାଦ। ଏଥି ସହ ଲିଗ୍ ଶେଷ ସୁଦ୍ଧା ଶୀର୍ଷ ଦୁଇ ସ୍ଥାନରେ ଥିବା ଦଳ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବେ। ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟର୍ରେ ହାଇଦ୍ରାବାଦ ୧୪ ରନ୍ରେ କୋଲ୍କାତା ନାଇଟ୍ ରାଇଡର୍ସକୁ ପରାସ୍ତ କରି ପରାଜୟ ଧାରାକୁ ଭାଙ୍ଗି ଦ୍ୱିତୀୟ ଥର ଫାଇନାଲ୍ରେ ପହଞ୍ଚିଗଲା। ଦୁଇ ସପ୍ତାହ ଓ ୪ ଲଗାତାର ପରାଜୟ ପରେ ବିଜୟ ପାଇ ହାଇଦ୍ରାବାଦ ଦ୍ୱିତୀୟ ଥର ଫାଇନାଲ୍ରେ ପାଦ ଥାପିଲା। ସ୍ପିନରଙ୍କ ପ୍ରାଧାନ୍ୟ ଭିତରେ ବିତିଥିବା ଶୁକ୍ରବାର ମ୍ୟାଚ୍ରେ ଆଫଗାନିସ୍ତାନ ଖେଳାଳି ରସିଦ୍ ଖାନ୍ଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୧୦ ବଲ୍ରୁ ୩୪ଞ୍ଚ ରନ୍, ୩/୧୯, ୨ କ୍ୟାଚ୍, ୧ ରନ୍ ଆଉଟ୍) ତାଙ୍କୁ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲା।
କୋଲ୍କାତାର ଇଡେନ୍ ଗାର୍ଡେନସରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସନ୍ରାଇଜର୍ସ ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲା। ଶିଖର ଧାଓ୍ଵନଙ୍କ ସହ ପାଳି ଆରମ୍ଭ କରିଥିବା ସ୍ଥାନୀୟ ଖେଳାଳି ରିଦ୍ଧିମାନ ସାହା ବ୍ୟକ୍ତିଗତ ୫ ରନ୍ରେ ଜୀବନଦାନ ପାଇଥିଲେ। ପାଓ୍ଵାର ପ୍ଲେ ୬ ଓଭରରେ ଦଳ ଓ୍ଵିକେଟ୍ ହରାଇନଥିଲେ ମଧ୍ୟ ୪୫ ରନ୍ କରିଥିଲା। ଅଷ୍ଟମ ଓଭରରେ କୁଲଦୀପ ଯାଦବ ତାଙ୍କ ପ୍ରଥମ ବଲ୍ରେ ଶିଖର ଧାଓ୍ଵନ (୩୪, ୨୪ ବଲ୍, ୪ ଚୌକା, ୧ ଛକା)ଙ୍କୁ ଲେଗ୍ ବିଫୋର କରି ଦେଇଥିଲେ। ସେହି ଓଭରରେ ସେ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ (୩)ଙ୍କୁ ଓ୍ଵିକେଟ୍ ପଛପଟେ ଦୀନେଶ କାର୍ତିକଙ୍କ ଗ୍ଲୋଭ୍ରେ ଧରାଇ ବଡ଼ ସଫଳତା ଦେଇଥିଲେ। ବଢ଼ି ଆସୁଥିବା ରନ୍ ହାରରେ ଅଙ୍କୁଶ ଲାଗିଥିଲା। କୋଲ୍କାତାର ୩ ସ୍ପିନର୍ ସୁନୀଲ ନରିନ୍, ପୀୟୂଷ ଚାଓ୍ଵଲା ଏବଂ କୁଲଦୀପ ଯାଦବ ସନ୍ରାଇଜର୍ସ ବ୍ୟାଟସମ୍ୟାନ୍ଙ୍କୁ ବାନ୍ଧି ରଖିଥିଲେ। ସକିବ୍ ଅଲ୍ ହାସନ୍ (୨୮, ୨୪ ବଲ୍, ୪ ଚୌକା) ଏବଂ ଦୀପକ ହୁଦା (୧୯, ୧୯ ବଲ୍, ୧ ଛକା) କେବଳ ବଲ୍ ପିଛା ରନ୍ କରିଥିଲେ। ୟୁସୁଫ୍ ପଠାନ୍ (୩, ୭ ବଲ୍) ଏବଂ କାର୍ଲୋସ୍ ବ୍ରାଥ୍େଓ୍ଵଟ୍ (୮, ୪ ବଲ୍)ଙ୍କ ବିଫଳତା କାରଣରୁ ସନ୍ରାଇଜର୍ସ ୧୮ ଓଭର ବେଳକୁ ୧୩୮/୭ରେ ସଂଘର୍ଷ କରି ୧୫୦ ଟପିବା ଆଶଙ୍କାରେ ରହିଥିଲା। ସବୁଠାରୁ ଆଶ୍ଚର୍ୟ୍ୟଜନକ ବ୍ୟାଟିଂ କରିଥିଲେ ଆଫଗାନିସ୍ତାନ ତାରକା ରସିଦ୍ ଖାନ୍। ମାତ୍ର ୧୦ ବଲ୍ରୁ ୩୪ଞ୍ଚ ରନ୍ ଉଠାଇ ସନ୍ରାଇଜର୍ସକୁ ୧୭୪ ରନ୍ର ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲେ। ତାଙ୍କ କିମିଆ ପାଳିରେ ୨ ଚୌକା, ୪ ଛକା ସାମିଲ ଥିଲା। ୨୦ତମ ଓଭର ବୋଲିଂ କରିଥିବା ପ୍ରସିଦ୍ଧ କୃଷ୍ଣଙ୍କ ଶେଷ ୪ ବଲ୍ରୁ ସେ ୧୯ ରନ୍ ଆଦାୟ କରିଥିଲେ। ଏହି ଓଭରରେ ୨୪ ରନ୍ ବ୍ୟୟ କରି ପ୍ରସିଦ୍ଧ ନିରାଶାଜନକ ବୋଲିଂ ଚିତ୍ର ୪-୦-୫୬-୦ ପାଇଥିଲେ। କେକେଆର୍ର ସ୍ପିନ୍ ତ୍ରିମୂର୍ତି (ଚାଓ୍ଵଲା-ନରିନ୍-କୁଲଦୀପ) ମିଳିତ ଭାବେ ୧୧ ଓଭରରେ ମାତ୍ର ୭୫ ରନ୍ ଦେଇ ୪ ଓ୍ଵିକେଟ୍ ନେବା ପାଳିର ଅନ୍ୟତମ ମୁଖ୍ୟାଂଶ ଥିଲା।
ଜବାବରେ କେକେଆର୍ ପାଇଁ ବିସ୍ଫୋରକ ମୂଳଦୁଆ ପକାଇଥିଲେ କ୍ରିସ୍ ଲିନ୍ ଏବଂ ସୁନିଲ ନରିନ୍। ସିଦ୍ଧାର୍ଥ କଉଲ୍ଙ୍କ ଶିକାର ହେବା ପୂର୍ବରୁ ନରିନ୍ (୨୬, ୧୩ ବଲ୍, ୪ ଚୌକା, ୧ ଛକା) ୨୦୦ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଥିଲେ। ପାଓ୍ଵାର ପ୍ଲେ ୬ ଓଭରରେ କେକେଆର୍ ୬୭ ରନ୍ କରିଥିଲା। ଏହା ପରେ ନୀତିଶ ରାଣା (୨୨, ୧୬ ବଲ୍)ଙ୍କ ରନ୍ ଆଉଟ୍ ଏବଂ ରବିନ୍ ଉଥପ୍ପାଙ୍କୁ ରସିଦ୍ ଖାନ୍ ବୋଲ୍ଡ କରିଦେବା କୋଲ୍କାତାକୁ ଅଡୁଆରେ ପକାଇଥିଲା। ଦୀନେଶ କାର୍ତିକ (୮)ଙ୍କୁ ବାମହାତୀ ବାଂଲାଦେଶୀ ସ୍ପିନର୍ ସକିବ୍ ଅଲ୍ ହାସନ୍ ବୋଲ୍ଡ କରିଦେଇଥିଲେ। ବିସ୍ଫୋରକ ଆନ୍ଦ୍ରେ ରସେଲ୍ (୩)ଙ୍କୁ ଆଫଗାନିସ୍ତାନ୍ ସ୍ପିନର୍ ରସିଦ୍ ସ୍ଲିପ୍ରେ ଓ୍ଵିଲିୟମ୍ସନ୍ଙ୍କ ହାତରେ କାବୁ କରାଇବା ରୋମାଞ୍ଚ ଭରିଥିଲା। ୧୫ତମ ଓଭରରେ କେକେଆର୍ ୧୧୮/୬ରେ ସଂଘର୍ଷ କରୁଥିଲା। ପୀୟୂଷ ଚାଓ୍ଵଲା ୧୨ ବଲ୍ରୁ ୧୨ ରନ୍ କରି ଶୁଭମନ୍ ଗିଲ୍ଙ୍କୁ ସାଥ୍ ଦେଇଥିଲେ। ଗିଲ୍ (୩୦, ୨୦ ବଲ୍, ୨ ଚୌକା, ୧ ଛକା) ଶେଷ ପର୍ୟ୍ୟନ୍ତ ଲଢ଼ିଥିଲେ ମଧ୍ୟ ମୁଣ୍ଡି ମାରିପାରିନଥିଲେ। ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ ଥିଲେ ମଧ୍ୟ ବ୍ରାଥ୍େଓ୍ଵଟ୍ ୪ ରନ୍ ଦେଇ ୨ ଓ୍ଵିକେଟ୍ ଦଖଲ କରିନେବାରୁ ହାଇଦ୍ରାବାଦ ମ୍ୟାଚ୍ ଛଡ଼ାଇ ଆଣିଥିଲା।