ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍‌: ପୁଜାରାଙ୍କୁ ଶେଷ ସୁଯୋଗ, ରାହାଣେଙ୍କ ଉପରେ ଝୁଲିଲା ଖଣ୍ଡା

Dec 18, 2021 - 13:12
 56
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍‌: ପୁଜାରାଙ୍କୁ ଶେଷ ସୁଯୋଗ, ରାହାଣେଙ୍କ ଉପରେ ଝୁଲିଲା ଖଣ୍ଡା
ନୂଆଦିଲ୍ଲୀ ୧୮/୧୨ : ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ପହଞ୍ଚିସାରିଛି ଟିମ୍‌ ଇଣ୍ଡିଆ । ୨୬ରୁ ସାଉଥ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ । ଏହି ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ଲୋକେସ ରାହୁଲ ଉପଅଧିନାୟକ ଭାର ସମ୍ଭାଳିବେ । ଭାରତୀୟ ଦଳରେ ପ୍ଲେଇଂ ଇଲେଭେନ୍‌ରେ ବଡ ଧରଣର ଅଦଳବଦଳ ହୋଇପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରଓ୍ବାଲ ଏବଂ ଲୋକେସ ରାହୁଲ ଓପନିଂ କରିବା ଆପାତତ୍‌ ସ୍ପଷ୍ଟ ଜଣାପଡୁଛି । ରୋହିତ ଆହତ ହୋଇଥିବାରୁ ମୟଙ୍କ ଅଗ୍ରଓ୍ବାଲଙ୍କ ପାଇଁ ଏହା ସବୁଠାରୁ ବଡ ସୁଯୋଗ ବୋଲି କୁହାଯାଉଛି । ସେହିପରି ଶୁଭମାନ ଗିଲଙ୍କୁ ମଧ୍ୟ ଓପନ କରିବା ପାଇଁ ସୁଯୋଗ ମିଳିପାରେ । ୩ନଂରେ ଟେଷ୍ଟ କ୍ରିକେଟର ସବୁଠାରୁ ବଡ ଯୋଦ୍ଧା କୁହାଯାଉଥିବା ଚେତେଶ୍ବର ପୁଜାରା ବ୍ୟାଟିଂ କରିବାକୁ ଆସିପାରନ୍ତି । ଅନେକ ଦିନ ହେଲା ଖରାପ ଫର୍ମଦେଇ ଗତିକରୁଥିବା ପୁଜାରାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ସିରିଜ ଶେଷ ସୁଯୋଗ ବୋଲି କୁହାଯାଉଛି । ଯଦି ଏହି ସିରିଜ୍‌ରେ ମଧ୍ୟ ପୁଜାରା ଫ୍ଲପ୍‌ ହୁଅନ୍ତି ତେବେ ତାଙ୍କୁ ଦଳରୁ ବାଦ ଦିଆଯାଇପାରେ । ପୁଜାରାଙ୍କ ପରେ ଅଧିନାୟକ ବିରାଟ କୋହଲି ୪ନମ୍ବରରେ ବ୍ୟାଟିଂ କରିବେ । ୫ନଂରେ ଅଜିଙ୍କ୍ୟ ରାହାଣେଙ୍କୁ ସୁଯୋଗ ମିଳିପାରେ । ଏମିତି ବି ହୋଇପାରେ ଯେ, ତାଙ୍କୁ ବାଦ୍‌ ଦିଆଯାଇ ନ୍ୟୁଜିଲାଣ୍ଡ ସିରିଜର ହିରୋ ଶ୍ରେୟସ ଆୟରଙ୍କୁ ଦଳ ୫ନଂରେ ବ୍ୟାଟିଂ କରିବାକୁ ସୁଯୋଗ ଦେଇପାରେ । ଭାରତ ପକ୍ଷରୁ ନମ୍ବର ୬ରେ ଋଷଭ ପନ୍ତଙ୍କୁ ପଠାଇବା ଥୟ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିଲା । ରିଦ୍ଧିମାନ ଶାହାଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ୭ନମ୍ବରରେ ଅଲରାଉଣ୍ଡ ଶାର୍ଦ୍ଦୁଳ ଠାକୁରଙ୍କୁ ମୌକା ମିଳିପାରେ । ସେ ଦ୍ରୁତ ବୋଲିଂ କରିବା ସହିତ ବ୍ୟାଟିଂ ମଧ୍ୟ କରନ୍ତି । ଶାର୍ଦ୍ଦୁଳଙ୍କ ବ୍ୟତିତ ଅଶ୍ବିନଙ୍କୁ ମଧ୍ୟ ୭ନମ୍ବରରେ ବ୍ୟାଟିଂ କରିବାକୁ ମିଳିପାରେ । ବୋଲିଂ ବାହିନୀ ସମ୍ଭାଳିବେ ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ ଏବଂ ମହମ୍ମଦ ସିରାଜ । ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଇଁ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ : କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ଶାର୍ଦ୍ଦୁଲ ଠାକୁର, ଆର୍‌ ଅଶ୍ବିନ, ମହମ୍ମଦ ସିରାଜ, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ