କର୍ଣ୍ଣାଟକରେ ଓଡିଆ ମତ୍ସ୍ୟଜୀବୀଙ୍କ ମୃତୁ୍ୟ

Aug 27, 2018 - 18:58
 229
କର୍ଣ୍ଣାଟକରେ ଓଡିଆ ମତ୍ସ୍ୟଜୀବୀଙ୍କ ମୃତୁ୍ୟ
ଭଦ୍ରକ,୨୭/୮ (ସକାଳଖବର): କର୍ଣ୍ଣାଟକର ଗଭୀର ସମୁଦ୍ରରେ ମାଛ ମାରୁଥିବାବେଳେ ବୋଟରୁ ଖସିପଡି ଜଣେ ଓଡ଼ିଆ ମତ୍ସ୍ୟଜୀବୀଙ୍କର ମୃତୁ୍ୟ ହୋଇଯାଇଛି । ଏପଟେ ସ୍ୱାମୀକୁ ହରାଇ ସ୍ତ୍ରୀ ଏକା ହୋଇଯାଇଥିବାବେଳେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି । ଏଭଳି ଏକ ଦୁଃଖଦ ଘଟଣା ବାସୁଦେବପୁର ଥାନା ସୁଦର୍ଶନପୁର ସୁଆଁ ଗ୍ରାମରେ ଘଟିଛି । ସଦାନନ୍ଦ ମଳିକଙ୍କ ପୁଅ ବୁଦ୍ଧିରାମ(୩୭) ଗଭୀର ସମୁଦ୍ର ଭିତରେ ପ୍ରାଣ ହରାଇଥିବା ଖବର ମିଳିଛି । ବୁଦ୍ଧିରାମ ମଳିକ ୬ ମାସ ତଳେ କର୍ଣ୍ଣାଟକର ଉଡୁି ଜିଲା ମାଲପେ ଥାନା ଅଂଚଳରେ ପିଙ୍କି ନାମକ ବୋଟରେ ମତ୍ସ୍ୟଜୀବୀ ଭାବେ କାମ କରୁଥିଲା । ମାଲପେ ମୁହାଣରୁ ସାଥୀଙ୍କ ସହ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା । ଗତ ୨୩ ତାରିଖ ସକାଳେ ସମୁଦ୍ରର କାରୁଆ ଅଞ୍ଚଳରେ ବୁଦ୍ଧିରାମ ବୋଟରେ ଶୌଚ ହେଉଥିଲା । ଏହି ସମୟରେ ହାତରେ ଧରିଥିବା ଦଉଡିଟି ଖସି ଯିବାରୁ ସେ ସମୁଦ୍ରରେ ପଡି ଯାଇଥିଲା । ଏହି ଘଟଣା ଦେଖି ପାଖରେ ଥିବା ଅନ୍ୟ ସାଥୀମାନେ ଡାକ ପକାଇଥିଲେ । ବୋଟଟି ବୁଲି ବୁଦ୍ଧିରାମକୁ ଉଠାଇବା ପୂର୍ବରୁ ସ୍ରୋତରେ ବହୁ ଦୂରକୁ ସେ ଭାସି ଯାଇଥିଲା । ସଂଜ୍ଞାହୀନ ଅବସ୍ଥାରେ ତାକୁ ଉଦ୍ଧାର କରି ମାଲପେ ମୁହାଣକୁ ଆଣିବା ପରେ ବୋଟର ମାଲିକ ରମେଶ ଭୋଶଲେ ବୁଦ୍ଧିରାମକୁ କର୍ଣ୍ଣାଟକର ମଣିପାଲ ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ତାର ମୃତଦେହ ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ । ସ୍ୱାମୀକୁ ହରାଇ ସ୍ତ୍ରୀ ଭୂଇଁରେ ଲୋଟି ପଡିବା ଦୃଶ୍ୟ ସଭିଁଙ୍କୁ ବ୍ୟଥିତ କରିଛି । ବେସାହାରା ହୋଇ ପଡିଥିବା ସ୍ତ୍ରୀକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।