କନ୍ଧମାଳ ଛାତ୍ରୀ ପ୍ରସବ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସି ନୋଟିସ୍
ଭୁବନେଶ୍ୱର, ୧୪/୧(ସକାଳଖବର): ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପରିଚାଳନାଧିନ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସେବାଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ୧୪ ବର୍ଷର ଆଦିବାସୀ ନାବାଳିକା ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେବା ଏବଂ ପରବର୍ତୀ ଅବସ୍ଥାରେ ଜନ୍ମିତ ଶିଶୁକନ୍ୟାଟିର ମୃତୁ୍ୟହେବା ଦୁଃଖଦ ଘଟଣାକୁ ଜାତୀୟ ମାନବିକ ଅଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛି । ଏହି ଘଟଣାରେ ପିଡ଼ୀତା ନାବାଳିକାର ସୁରକ୍ଷା ଏବଂ ଥଇଥାନ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ପୂର୍ଣ୍ଣାଙ୍ଗ ତଥ୍ୟ ଦେବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦଙ୍କୁ ନୋଟିସ ଜାରି କରାଯାଇଛି । ଏହା ବ୍ୟତୀତ ଅଭିଯୁକ୍ତଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କାଉନସେଲିଂ ବ୍ୟବସ୍ଥା ହୋଇଥିଲା କି ନାହିଁ ତାହା ମଧ୍ୟ ଜଣାଇବା ପାଇଁ ଏହି ନୋଟିସରେ ଦର୍ଶାଯାଇଛି । ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୨ ତାରିଖ ଦିନ ଏହି ଘଟଣା ଘଟିଥିବାର ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ସମ୍ପୃକ୍ତ ନାବାଳିକା ଶିଶୁକନ୍ୟାକୁ ଜନ୍ମ ଦେବା ପରେ ଉଭୟ ମା ଓ ଝିଅକୁ ହଷ୍ଟେଲରୁ ବାହାର କରିଦିଆଯିବା ସହ ଜଙ୍ଗଲ ଭିତରକୁ ଚାଲିଯିବା ପାଇଁ ଜବରଦସ୍ତ କରାଯାଇଥିଲା । ୧୩ ତାରିଖ ଦିନ ସ୍ଥାନୀୟ ପୋଲିସ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯିବା ସହ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।
ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଯଦି ସତ୍ୟ ହୋଇଥାଏ ତାହା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଛି । ସ୍କୁଲ ପ୍ରଶାସନର ଚରମ ଅବହେଳା ହେଉଛି ଏଥିପାଇଁ ଦାୟୀ । ପୀଡ଼ିତା ପଢ଼ୁଥିବା ସ୍କୁଲଟି ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ସେଠାରେ ପଢ଼ାପଢ଼ି କରୁଥିବା ପିଲାମାନଙ୍କର ସୁରକ୍ଷା ଓ ନିରାପତା ଦାୟିତ୍ୱ ସରକାରଙ୍କର ଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ଆବାସିକ ସ୍କୁଲର ୱାଡେ଼ନ ନିଜର କର୍ତବ୍ୟ ତୁଲାଇବାରେ ଅବହେଳା କରିଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ପୀଡ଼ିତା ମାନସିକ ଯନ୍ତ୍ରଣା ପାଇବା ସହ ସାମାଜିକ କଳଙ୍କ ଲାଗିଛି । ଗଣମାଧ୍ୟମରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ଦାରିଙ୍ଗିବାଡ଼ିରେ ପଢ଼ୁଥିବା ତୃତୀୟବର୍ଷ ଛାତ୍ର ଏହି ଘଟଣାରେ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲା ବେଳେ କର୍ତବ୍ୟରେ ଅବହେଳା ପାଇଁ ଦୁଇଜଣ ମେଟ୍ରନ, ଦୁଇଜଣ ରୋଷେୟା ତଥା ସହାୟିକା ଏବଂ ମହିଳା ସୁପର ଭାଇଜର, ଏଏନଏମକୁ ଚାକିରୀରୁ ନିଲମ୍ବନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ପୀଡ଼ିତା ଗର୍ଭବତୀ ହେଲା ଏବଂ କନ୍ୟା ଜନ୍ମ ଦେଲା ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ କୁହାଯାଇଛି । ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରତିବାଦ କରିବା ସହ ୫୯ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଛାତ୍ରୀବାସର ୱାଡେର଼୍ନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।