କନିଷ୍ଠ ଶିକ୍ଷୟିତ୍ରୀଙ୍କୁ କାର୍ଯାନ୍ତର ଉପରେ ଅନ୍ତରୀଣ ରହିତାଦେଶ

May 26, 2018 - 14:35
 184
କନିଷ୍ଠ ଶିକ୍ଷୟିତ୍ରୀଙ୍କୁ କାର୍ଯାନ୍ତର ଉପରେ ଅନ୍ତରୀଣ ରହିତାଦେଶ
କଟକ,୨୬ ।୫(ସକାଳଖବର): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନଭେଜା ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପଲତା ବେହେରାଙ୍କୁ କାର୍ଯ୍ୟକ୍ଷେତ୍ରରୁ ବିଦା କରିବା ଆଦେଶ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଅବକାଶକାଳିନ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଜିଲାପାଳଙ୍କ ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ପ୍ରତିପକ୍ଷମାନଙ୍କୁ ଜବାବ ତଲବ କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସାନଭେଜା ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ପୁଷ୍ପଲତା ବେହେରାଙ୍କୁ ଠିକାରେ କନିଷ୍ଠ ଶିକ୍ଷୟିତ୍ରୀ ଭାବେ ଗତ ମାର୍ଚ୍ଚ ମାସ ୧୮ତାରିଖରେ ନିଯୁକ୍ତି ଦିଆଯାଇଥିଲା । ତେବେ ଆବେଦନକାରିଣୀଙ୍କ ରିହାବିଲେଟସନ କାଉନସିଲ ଅଫ ଇଣ୍ଡିଆ(ଆରସିଆଇ)ର ସିଆରଆର ପଞ୍ଜିକରଣ ସାର୍ଟିଫିକେଟ ନଥିବା କାରଣରୁ ତାଙ୍କୁ ଏପ୍ରିଲ ମାସ ୩୦ତାରିଖରେ କାର୍ଯ୍ୟ କ୍ଷେତ୍ରରୁ ବିଦା କରିଦିଆଯାଇଥିଲା । ତେବେ ଏ ନିଯୁକ୍ତି ସଂକ୍ରାନ୍ତରେ ପ୍ରକାଶ ପାଇଥିବା ୨୦୧୬, ଫେବୃୟାରୀ ମାସ ୯ତାରିଖ ବିଜ୍ଞପ୍ତିରେ ସିଆରଆର ପଞ୍ଜିକରଣ ସାର୍ଟିଫିକେଟ ଦେବା ନେଇ କୌଣସି ସର୍ତ୍ତ ରଖାଯାଇନଥିଲା । ମାତ୍ର ଆବେଦନକାରୀଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏ ନେଇ ହଠାତ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆବେଦନକାରିଣୀଙ୍କ ଠାରେ ୨୦୧୮, ଜାନୁୟାରୀ ମାସରେ ଏହି ପଞ୍ଜିକରଣ ସାର୍ଟିଫିକେଟ ଉପଲବ୍ଧ ଥିଲା । ତେବେ ନିଯୁକ୍ତିକୁ ନେଇ ପ୍ରକାଶିତ ବିଜ୍ଞପ୍ତିରେ ଏ ନେଇ କୌଣସି ସର୍ତ୍ତ ନରହିବା, ପ୍ରାର୍ଥୀଙ୍କୁ ନଜଣାଇ ଏଭଳି ତରଭରିଆ କାର୍ଯ୍ୟାନୁଷ୍ଠାନ ନିଆଯିବା ଅତ୍ୟନ୍ତ ବେଆଇନ ବୋଲି ଆବେଦନକାରିଣୀଙ୍କ ପକ୍ଷରୁ କୋର୍ଟରେ ଯୁକ୍ତିରେ ଦର୍ଶାଯାଇଥିଲା । ଆବେଦନକାରିଣୀଙ୍କୁ କାର୍ଯ୍ୟ କ୍ଷେତ୍ରରୁ ବିଦା କରିଦିଆଯିବା ଆଦେଶ ଉପରେ କୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରି ଜିଲାପାଳ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ଅଧିକାରୀ, ଓପେପା ରାଜ୍ୟ ପ୍ରକଳ୍ପ ଅଧିକାରୀ, ପ୍ରାଥମିକ ଶିକ୍ଷା ନିଦେ୍ର୍ଧଶକ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜବାବ ରଖିବା ପାଇଁ ଆଦେଶ ଦେଇଛନ୍ତି ।