ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ

Nov 20, 2018 - 18:34
 166
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ
ବାରିପଦା, ୨୦/୧୧ (ସକାଳଖବର): ବାରିପଦା ଅତିରିକ୍ତି ଜିଲ୍ଲା ଓ ଦୌରା ଜଜ୍-୧ ସମର ବିଳାଶ ବେହେରା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ଆଇପିସି ଧାରା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ଧାରା ୨୦୧ରେ ୩ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୩ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି । ପୁଣି ପ୍ରମାଣ ଅଭାବରୁ ଶ୍ୱଶୁର ଓ ଶାଶୂଙ୍କୁ ଦୋଷମୁକ୍ତ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୦୮-୦୯ରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପଳାଶବନ୍ଧ ଗ୍ରାମର ବଂଶୀଧର ମହାନ୍ତଙ୍କ ପୁଅ ଜଗଦ୍ଧୀଶ ମହାନ୍ତ ବୈଶିଙ୍ଗା ଥାନା ବୈଦିକ ରୀତିନୀତି ଅନୁସାରେ ଡମରଡ଼ିହା ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଝିଅକୁ ବିବାହ କରିଥିଲେ । ଏହି ସମୟରେ ବେଦୀ ଉପରେ ବରପକ୍ଷର ଦାବି ମୁତାବକ ସମସ୍ତ ଜିନିଷପତ୍ର ସହିତ ଆସବାବପତ୍ର ଦିଆଯାଇଥିଲା । ବିବାହର ୬ ମାସ ପରେ ଅଧିକ ଯୌତୁକ ବାବିକରି ଜଗଦ୍ଧୀଶ ତାର ସ୍ତ୍ରୀ ରମଣୀ ମହାନ୍ତଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଶେଷରେ ୨୦୧୩ ସେପ୍ଟେମ୍ବର ୧୬ ବିଳମ୍ବିତ ରାତିରେ ସ୍ୱାମୀ ଜଗଦ୍ଧୀଶ ମହାନ୍ତ, ଶ୍ୱଶୁର ବଂଶୀଧର ମହାନ୍ତ ଓ ଶାଶୁ ସୁଲୋଚନା ମହାନ୍ତ ମିଶି ରମଣୀକୁ ଜୀବନରୁ ମାରି ଗାଁ ପୋଖରୀରେ ଫିଙ୍ଗି ଦେଇଥିଲେ ।