ଓଡ଼ିଶା ଅଭିମୁଖେ ନରେନ୍ଦ୍ର ଓ ଶାହା, ନିର୍ବାଚନ ପ୍ରଚାରର ଶୁଭାରମ୍ଭ

Sep 18, 2018 - 19:01
 217
ଓଡ଼ିଶା ଅଭିମୁଖେ ନରେନ୍ଦ୍ର ଓ ଶାହା, ନିର୍ବାଚନ ପ୍ରଚାରର ଶୁଭାରମ୍ଭ
କଟକ,୧୮ା୯(ସକାଳଖବର): ଚଳିତ ସପ୍ତାହ ଶେଷରେ ବିଜେପିର ୨ ଶୀର୍ଷସ୍ତରୀୟ ନେତା ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ସଭାପତି ଅମିତ ଶାହାଙ୍କ ଓଡ଼ିଶା ଆଗମନ ମୋଟାମୋଟି ଭାବେ ୨୦୧୯ ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନର ଶୁଭାରମ୍ଭ ପାଇଁ ଉଦ୍ଧିଷ୍ଟ ବୋଲି ମନେ କରାଯାଉଛି । ୨ଦିନ ବ୍ୟବଧାନରେ ଏହି ନେତା ଦ୍ୱୟ ଓଡ଼ିଶା ଆସୁଛନ୍ତି । ଶାହାଙ୍କ କାର୍ଯ୍ୟକ୍ରମ ଦଳୀୟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ବିଜ୍ଞାପନରୁ ଜଣାପଡ଼ୁଛି ଯେ ଏହା ନିର୍ବାଚନ ପ୍ରଚାରର ଶୁଭାରମ୍ଭ । ଦେଖିବାକୁ ଗଲେ ତାଳଚେର ସାର କାରଖାନା ଏକ ପୁରୁଣା ପ୍ରକଳ୍ପ । ଏହାର ମାତ୍ର ପୁନରୁଦ୍ଧାର ହେଉଛି ବୋଲି କୁହାଯାଇପାରେ । ଏଥିରେ ଯାହା କିଛି ନୂଆ ପ୍ରଯୁକ୍ତି ଉପଯୋଗ ସହ କିଛି ବୈଷୟିକ ପରିବର୍ତ୍ତନ କରାଯାଇପାରେ । ତେବେ ଏହି ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୟୁପିଏ ସରକାର ଅମଳରେ ନୀତିଗତ ନିଷ୍ପତ୍ତି ନିଆସରିଥିଲା । ପରେ ଆସିଲା ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର । ବର୍ତ୍ତମାନର ସରକାର ଏ ପ୍ରକଳ୍ପକୁ ୪ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ପକାଇ ରଖି ଏବେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ତାଳଚେର ସାର କାରଖାନାଟି ହିଁ ପ୍ରମୁଖ ପ୍ରକଳ୍ପ । ତାଳଚେର ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମିକ ସଂପର୍କ ରହିଛି । ଏହାସହ ଝାରସୁଗୁଡ଼ା ବିମାନବନ୍ଦର ଓ କୋଇଲା ଖଣି କାର୍ଯ୍ୟକ୍ରମ ଯୋଡ଼ାଯାଇଛି, ଯାହାର ଉଦ୍ଘାଟନ ବା ଶିଳାନ୍ୟାସ ପ୍ରଧାନମନ୍ତ୍ରୀସ୍ତରୀୟ ନେତାଙ୍କ କରକମଳରେ କରାଯିବା ଅସମୀଚିନ ବୋଧ ହୁଏ । ଏହାସତ୍ତ୍ୱେ ଏଥିସହ ପଶ୍ଚିମ ଓଡ଼ିଶାର ମାନସିକତା ଜଡ଼ିତ ରହିଥିବାରୁ ନିର୍ବାଚନ ବୈତରଣୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏଥିସହ ସଂଶ୍ଲିଷ୍ଟ କରାଯାଇ ପୂର୍ବ ଭାରତରୁ ଦିଲ୍ଲୀ ଦଖଲ ପାଇଁ ପଦକ୍ଷେପ ନିଆଯାଉଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ଉଦ୍ୟମ କରିଛି । ଆସନ୍ତାମାସରେ ପାର୍ବଣ ଋତୁ ପାଇଁ ଓଡ଼ିଶାର ଜନତା ଉତ୍ସବମନସ୍କ ରହିବେ । ଏସମୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବା ଶିଳାନ୍ୟାସକୁ ଜନତା ଏତେଟା ଧ୍ୟାନ ଦେବେ ନାହିଁ । ଏହା ପରକୁ ଅନ୍ୟ ରାଜ୍ୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଓ ଦଳର ସଭାପତି ବ୍ୟସ୍ତ ରହିବେ । ଓଡ଼ିଶା ଆସିବା ପାଇଁ ସେମାନଙ୍କୁ ସମୟ ମିଳିବ ନାହିଁ । ଏହି ସମୟ ଶେଷ ହେବା ବେଳକୁ ଜାନୁୟାରୀ ମାସ ହୋଇଯାଇଥିବ । ଏହାର ମାସକ ପରେ ନିର୍ବାଚନ ଘୋଷଣା ହେବ । ତେଣୁ ଯଥେଷ୍ଟ ସତର୍କତାର ସହ ବିଜେପି ପ୍ରଧାନମନ୍ତ୍ରୀଙ୍କ ଚଳିତ ଗସ୍ତ ସ୍ଥିର କରିଛି ଏବଂ ଆଗାମୀ ନିର୍ବାଚନରେ ଏହି ଶିଳାନ୍ୟାସକୁ ନିର୍ବାଚନୀ ପ୍ରସଙ୍ଗ କରିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହ ତାଳଦେଇ ଦଳର ସଭାପତି ଅମିତ୍ ଶାହା ମଧ୍ୟ ଓଡ଼ିଶା ଆସୁଛନ୍ତି । ଉପକୂଳବର୍ତ୍ତୀ ଓଡ଼ିଶାରେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ବିକାଶର ବାର୍ତ୍ତା ଓ ଦଳୀୟ ସଭାପତି ରାଜନୈତିକ ବାର୍ତ୍ତା ଦେଇ ଦଳକୁ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ୟମ କରିବେ ।