ବିରୋଧୀ ଦଳର ଅନୁପସ୍ଥିତିରେ ୩ ଟି ବିଲ୍ ପାରିତ

Sep 18, 2018 - 19:08
 163
ବିରୋଧୀ ଦଳର ଅନୁପସ୍ଥିତିରେ ୩ ଟି ବିଲ୍ ପାରିତ
ଭୁବନେଶ୍ୱର, ୧୮/୯ (ସକାଳଖବର): ପଂଚଦଶ ବିଧାନସଭା ତ୍ରୟୋଦଶ ଅଧିବେଶନର ନବମ କାର୍ଯ୍ୟ ଦିବସରେ ମଙ୍ଗଳବାର ଗୃହରେ ଉଭୟ କଂଗ୍ରେସ ଓ ବିଜେପିର ବିରୋଧୀ ଦଳ ସଭ୍ୟମାନେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ସୃଷ୍ଟି କରିବା ଫଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ସମ୍ପାଦିତ ହୋଇପାରିନଥିଲା । ତେବେ ପରମ୍ପରା ଅନୁଯାୟୀ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଲିଖିତ ତାରକାଚିହ୍ନିତ ପ୍ରଶ୍ନର ଉତର ଗୃହରେ ଉପସ୍ଥାପନ କରିଥିଲେ । ହଟ୍ଟଗୋଳ ଯୋଗୁଁ ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ଗୃହକୁ ୧୦ଟା ୩୦ ମିନିଟ ରୁ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଅନ୍ୟପକ୍ଷରେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ମନ୍ତ୍ରୀ ଦେଇଥିବା ଉତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ଓ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିବା , ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଂକଳ୍ପ ଓ ଆଇନ ପ୍ରଣୟନ ପାଇଁ ସଂଶୋଧନ ବିଲ୍ ଆଗତ କରିବା ଆଜିର ଉଲ୍ଲେଖନୀୟ ଘଟଣା ଥିଲା । ନୋ ପ୍ଲାଇଂ ଜୋନରେ ବୈଜୟନ୍ତ ପଣ୍ଡାଙ୍କ ଚପର ଉଡାଇବାକୁ ନେଇ ବିଧାନସଭାରେ ଶାସକ ଦଳ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ବିରୋଧୀ ଦଳର ଅନୁପସ୍ଥିତିରେ ବିଲ୍ ଆଲୋଚନା ହୋଇ ୩ ଟି ବିଲ୍ ପାରିତ ହୋଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହର ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟ ୩୦ରେ ଆରମ୍ଭ ହେବା ମାନେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ପଳାଇଆସି ସମବାୟ ବିଭାଗରେ ହୋଇଥିବା ୮୦୦ କୋଟି ଟଙ୍କାର ଦୁର୍ନୀତି , ଓମଫେଡ୍ ଦୁର୍ନୀତି ର ସିବିଆଇ ତଦନ୍ତ ଦାବି କରି ବିରୋଧୀ ଦଳ ସଦସ୍ୟମାନେ ହୋହାଲ୍ଲା କରିବା ସହ ସରକାର ବିରୋଧୀ ନାରାବାଜୀ କରିଥିଲେ । ହଟ୍ଟଗୋଳ ସମୟରେ ବିରୋଧୀ ଦଳ ସଦସ୍ୟମାନେ ପୋଡିୟମ୍ କୁ ବାଡେଇବା , ବିଜେପି ସଭ୍ୟମାନେ କଳା ଜ୍ୟାକେଟ୍ ପିନ୍ଧି ପ୍ରତିବାଦ କରିବାର ଦେଖାଯାଇଥିଲା । ଏହାପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ଚିଲିକା ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ହେଲିକ୍ୟାପ୍ଟର ଉଡାଣ କରିବା ସହ ନଙ୍ଗାନାସି ମୁହାଣ ନିକଟରେ ହେଲିକ୍ୟାପ୍ଟର ଅବତରଣ କରିବା, କୋଣାର୍କ ମନ୍ଦିର ଉପରେ ସାମ୍ବାଦିକ ଅଭିଜିତ୍ ଆୟାର ଅରୁଚିକର ମନ୍ତବ୍ୟ ଦେଇ ଓଡିଶାର ସ୍ୱାଭିମାନ ଉପରେ ଆଂଚ ଆଣିବା ଏବଂ ହାଇକୋର୍ଟ ସମେତ ତଳ କୋର୍ଟ ମାନଙ୍କରେ ବିଚାର ବ୍ୟବସ୍ଥା ଠପ୍ ହୋଇଯିବା ଏବଂ ସାଧାରଣ ଲୋକ ନ୍ୟୟ ପାଇବାରୁ ବଂଚିବ ପାଇବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ନ୍ୟାୟାଳୟର ଅଚଳାବସ୍ଥା ପାଇଁ କିପରି ଅତିଶୀଘ୍ର ଦୂର ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାପାଇଁ ସେମାନେ ଦାବି କରିଥିଲେ । ସାମ୍ବାଦିକ ଆୟାର ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଦାବି କରିଥିଲେ । କଂଗ୍ରେସ ସଭ୍ୟମାନେ ଏହାକୁ ସମର୍ଥନ ଦେଇଥିଲେ ।