ଏସିଆ ଏଲ୍ପିଜି ସମ୍ମିଟ୍ ୨୦୧୯ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

Feb 5, 2019 - 18:01
 130
ନୂଆଦିଲ୍ଲୀ, ୫/୨(ସକାଳଖବର): ଜାନୁଆରୀ ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି । ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ଅବଦାନ ରହିଛି । ଗତ ୫ ବର୍ଷରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିକଶିତ ଦେଶ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ଏକ ଉଦାହରଣ ଭାବେ ଗ୍ରହଣ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ଅଧିକ ଏଲପିଜି ଆମଦାନୀ କରିବା ଦିଗରେ ଭାରତ ଚୀନ ପରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ଆୟୋଜିତ ଏସିଆ ଏଲ୍ପିଜି ସମ୍ମିଟ୍ ୨୦୧୯ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୬ ମେ ମାସରେ ଆମେ ୫ କୋଟି ଗରିବ ମହିଳାଙ୍କୁ ତିନି ବର୍ଷ ମଧ୍ୟରେ ମାଗଣାରେ ଏଲପିଜି ସଂଯୋଗ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲୁ । କିନ୍ତୁ ବର୍ତମାନ ସୁଦ୍ଧା ଏହା ୬ କୋଟିରେ ପହଁଚିଛି । ଏହି ଅଭିଜ୍ଞତା ଆମକୁ ଆତ୍ମବିଶ୍ୱାସୀ କରିଛି । ଏହି ଯୋଜନା ସାର୍ବଜନୀନ କରି ସମସ୍ତଙ୍କ ଘରେ ଏଲପିଜି ପହଁଚାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱଆରୋପ କରିଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ଅର୍ଥନୀତିରେ ପରିଚିତ ହୋଇପାରିଛି । ଭାରତ ବିଶ୍ୱରେ ଦ୍ରୁତ ବିକାଶୀଳ ଅର୍ଥନୀତି ହୋଇଛି । ଆମ ସରକାର ସୁଦୃଢ ଅର୍ଥନୀତି ଏବଂ ସାମାଜିକ କଲ୍ୟାଣକାରୀ ନୀତି ନେଇ ଆଗକୁ ବଢୁଛି । ୨୦୧୪ ମସିହାରେ ଆମେ ଦାୟିତ୍ୱକୁ ଆସିବା ପରେ “ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍” ଏବଂ ‘ଇଜ୍ ଅଫ୍ ଲିଭିଙ୍ଗ୍’ଙ୍କୁ ଗୁରୁତ୍ୱ ଦେଇଥିଲୁ । ଲୋକଙ୍କ ଜୀବନଯାପନ ମାନକୁ ଆହୁରି ସହଜ ସରଳ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହାରେ ୧୨.୫ କୋଟି ଘରେ ଏଲପିଜି ସଂଯୋଗ ଥିଲା । ଏବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୬ କୋଟି ନୂଆ ଏଲପିଜି ସଂଯୋଗ ହୋଇଛିା ସରକାର ଡିଜିଟାଲ ଗଭରନାନ୍ସ ଦିଗରେ ପହଲ ଯୋଜନାରେ ଏଲପିଜି ଗ୍ରାହକଙ୍କ ପାଇଁ ସବସିଡି ପଦ୍ଧତି କରିଛନ୍ତି । ୨୦୧୮ ଡିସେମ୍ବର ସୁଦ୍ଧା ପହଲ ଯୋଜନାରେ ୨୩ କୋଟି ଏଲପିଜି ଗ୍ରାହକ ସାମିଲ ହୋଇଛନ୍ତି । ଡିବିଟି(ଡାରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍)ରେ ପହଲ ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ପ୍ରବେଶ କରିଛି ।ଏହି ଯୋଜନା ଦ୍ୱାରା ଭାରତ ସରକାର ପ୍ରାୟ ୫୦ ହଜାର କୋଟି ଟଙ୍କା ସଂଚୟ କରିପାରୁଛନ୍ତି । ୨୦୧୫ ମାର୍ଚରେ ଗିଭ୍ ଇଟ୍ ଅପ୍ ଅଭିଯାନ ଆରମ୍ଭ ହୋଇଛି । ଗରିବ ଲୋକଙ୍କ ଘରେ ଗ୍ୟାସ ପହଂଚାଇବା ପାଇଁ ଦେଶର ଅନେକ ଲୋକ ନିଜେ ପାଇଥିବା ରିହାତିକୁ ଛାଡିବା ପାଇଁ ଆଗେଇ ଆସିଥିଲେ । ଭାରତର ଏଲପିଜି ବିଭାଗ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପହଲ-ଡାରେକ୍ଟ, ଟ୍ରାନ୍ସଫର ଏବଂ ଗିଭ୍ ଇଟ୍ ଅପ୍ର ଉଲ୍ଲେଖନୀୟ ସଫଳତାକୁ ଆଦୃତ କରିବା ପାଇଁ ଏହି ସମ୍ମିଟ ଏକ ବଡ ପ୍ଲାଟଫର୍ମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।