ଏରସମାରେ ସର୍ବାଧିକ ବର୍ଷା ରେକର୍ଡ

Aug 14, 2022 - 05:33
 45
ଏରସମାରେ ସର୍ବାଧିକ ବର୍ଷା ରେକର୍ଡ
ଜଗତସିଂପୁର : ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଅବପାତରେ ପରିଣତ ହେବା ପରେ ଦୁର୍ବଳ ହେବ। ଆସନ୍ତା ୨୪ ଘଣ୍ଟା ଯାଏଁ ଲଗାଣ ବର୍ଷା, ବନ୍ୟା ଆଶଙ୍କା । ୧୦ ଜିଲ୍ଲାକୁ ରେଡ୍ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିମି ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏରସମା ଠାରେ ସର୍ବାଧିକ ବର୍ଷା ୨୧୫ ମିମି ରେକର୍ଡ ହୋଇଛି । ସୁନ୍ଦଗଡ଼ ହେମଗିରି ଠାରେ ୨୧୦.୪ ମିମି, ପୁରୀ ଅସ୍ତରଙ୍ଗ ଠାରେ ୧୬୮ମିମି ଓ ପୁରୀ ସହରରେ ୯୪ ମିମି ରେକର୍ଡ ହୋଇଛି ସେହିପରି ସମ୍ବଲପୁର ୧୪୬ , ହୀରାକୁଦ ୧୦୭.୬, ଗଜପତି ଜିଲ୍ଲା ଆର୍ ଉଦୟଗିରି ରେ ୧୦୪ ମିମି ବର୍ଷା ରେକର୍ଡ ହୋଇଛି । ହୀରାକୁଦ ଡ୍ୟାମରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ଏହା କଟକ ଜିଲ୍ଲା ମୁଣ୍ଡଳି ଅତିକ୍ରମ କରିବ। ଆଜି ମୁଣ୍ଡଳି ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୬.୫୬ ଫୁଟ୍ ରହିଛି। ଡ୍ୟାମ୍‌କୁ ୫,୪୧,୯୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୫,୬୧,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତା’ହେଲେ ଅଗଷ୍ଟ ୧୫ ବେଳକୁ ଛୋଟ ବନ୍ୟା ଆସିପାରେ। ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ରହିଛନ୍ତି ସଂପୃକ୍ତ ଜିଲ୍ଲା ପ୍ରଶାସନ। ଉପର ମୁଣ୍ଡରେ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ତଳମୁଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଓ ଅନ୍ୟ ପକ୍ଷରେ ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣପୁର, ବୌଦ୍ଧ ସହିତ କଟକର ମୁଣ୍ଡଳି ଠାରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି।