ଏବର୍ଷ ଆକାଶରୁ ନିଆଁଝୁଲ ଖସିବ
ଭୁବନେଶ୍ବର : ଏବର୍ଷ ଗ୍ରୀଷ୍ମରେ ଆକାଶରୁ ନିଆଁଝୁଲ ଖସିବ। ପ୍ରଚଣ୍ଡ ଖରାରେ ଦେଶର ଅର୍ଦ୍ଧାଧିକ ଅଞ୍ଚଳ ସିଝିବ। ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ପୂର୍ବ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ପ୍ରବଳ ଗରମ ଅନୁଭବ ହେବା ସହ ଦିନ ଓ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତେଣୁ ଓଡ଼ିଶାବାସୀ ଏଥର ତାତି ଓ ଗରମରେ କଲବଲ ହେବେ। ମାର୍ଚ୍ଚରୁ ମେ’ ମଧ୍ୟରେ ସାରା ରାଜ୍ୟରେ ପାରଦ ସ୍ତର ସ୍ବାଭାବିକଠାରୁ ଖୁବ୍ ଅଧିକ ରହିବ। ମାର୍ଚ୍ଚରୁ ହିଁ ଖରାର ଯାତନା ଆରମ୍ଭ ହୋଇଯିବ। ଏହାବ୍ୟତୀତ, ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ଝାଞ୍ଜି ପବନ ପ୍ରବାହିତ ହେବ। ଆଶ୍ବସ୍ତିର ବିଷୟ ହେଲା, ଉପକୂଳ ଓଡ଼ିଶାରେ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ। କିନ୍ତୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାକୁ କୌଣସି ନିସ୍ତାର ମିଳିବ ନାହିଁ। ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଗ୍ରୀଷ୍ମ ମାସ (ମାର୍ଚ୍ଚରୁ ମେ’) ପାଇଁ ସିଜିନାଲ୍ ଆଉଟ୍ଲୁକ୍ ଜାରି କରି ସୂଚନା ଦେଇଛି ।
ଆଇଏମ୍ଡିର ସୂଚନା ମୁତାବକ, ଏବେ ଦେଶରେ ଧୀରେଧୀରେ ଲା-ନିନା ଦୁର୍ବଳ ହେବାରେ ଲାଗିଛି ଓ ଏଲ୍-ନିନୋ ସକ୍ରିୟ ହେଉଛି। ଫଳରେ ଏବର୍ଷ ବର୍ଷା କମ୍ ଓ ଖରା ଅଧିକ ହେବ । ଏଣୁ ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏହି ସମୟରେ କାଳବୈଶାଖୀଜନିତ ବର୍ଷା ମଧ୍ୟ ସ୍ବାଭାବିକ ରହିବ। ମାର୍ଚ୍ଚରେ ଓଡ଼ିଶା ସମେତ ପୂର୍ବ, ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ଭାରତର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସ୍ବାଭାବିକ ରହିବ। କିନ୍ତୁ ଉତ୍ତର-ପଶ୍ଚିମ ସମେତ ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର କିଛି କିଛି ସ୍ଥାନରେ ମାର୍ଚ୍ଚରେ କାଳବୈଶାଖୀ ଜନିତ ବର୍ଷା ସ୍ବାଭାବିକଠାରୁ କମ୍ ରହିବ