ଓକିଲଙ୍କ ଆଗୁଆ ଜାମିନ ଖାରଜ

May 5, 2018 - 14:03
 153
କଟକ,୫ ।୫(ସକାଳଖବର): ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ବିଚାର କରି ମହକିଲଙ୍କ ବିଶ୍ୱାସକୁ ଭାଙ୍ଗିଥିବା ଓକିଲଙ୍କ ଆଗୁଆ ଜାମିନକୁ ଖାରଜ କରିଛନ୍ତି । କୋର୍ଟ ରାୟରେ ଦର୍ଶାଇଛନ୍ତି ଯେ ମହକିଲ ଆସ୍ଥା ରଖି ଓକିଲଙ୍କୁ ବିଶ୍ୱାସର ସହ ମାମଲା ପରିଚାଳନା ପାଇଁ ଦାୟିତ୍ୱ ଦେଇଥାଏ । ଆଇନ ପେସାରେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ନ୍ୟାୟ ପ୍ରଦାନରେ ସହାୟକ ହେଉଥିବା ବେଳେ ନୈତିକତା ଓ ସ୍ୱଚ୍ଛତା ରକ୍ଷା କରିବା ସେମାନଙ୍କର କାର୍ଯ୍ୟ । ଅନ୍ୟମାନଙ୍କ ଅଧିକାର ସୁରକ୍ଷା କରିବା ଆଇନ ପେସାରେ ଥିବା ବ୍ୟକ୍ତିର କର୍ତ୍ତବ୍ୟ । କିନ୍ତୁ ମହକିଲଙ୍କ ବିଶ୍ୱାସରେ ବିଷ ଦେବା ଏହି ପେଶାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଜଷ୍ଟିସ ଏସ୍.କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଣ ଆଇନଜୀବୀଙ୍କ ଜାମିନ ଖାରଜ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ପାର୍ବତୀ ସ୍ୱାଇଁ ନାମକ ମହିଳା ଅଶୋକ ଗୁପ୍ତାଙ୍କୁ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ପତ୍ନୀ । ବ୍ୟାଙ୍କରେ ଚାକିରି କରିଥିବା ସ୍ୱାମୀ ପରବର୍ତ୍ତୀ ସମୟରେ ଆପୋଷରେ ମାମଲା ସମାଧାନ ପାଇଁ ଉଦ୍ୟମ କରିଥିଲେ । ଦୁଇପକ୍ଷଙ୍କ ସହମତି ଆଧାରରେ ଛାଡପତ୍ର ହେବ ଓ ପତ୍ନୀଙ୍କୁ ସ୍ୱାମୀ ୩୫ ଲକ୍ଷ ଟଙ୍କା ଭରଣପୋଷଣ ବାବଦରେ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏ ନେଇ ଭୁବନେଶ୍ୱର ପରିବାର ଅଦାଲତରେ ଆପୋଷ ବୁଝାମଣାରେ ଛାଡପତ୍ର ମାମଲା ରୁଜୁ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୂର୍ବ ନିଷ୍ପତ୍ତି ଅନୁସାରେ ପତ୍ନୀଙ୍କୁ ଭରଣ ପୋଷଣ ବାବଦ ସମସ୍ତ ଅର୍ଥ ମିଳି ପାରି ନଥିଲା । ଅନ୍ୟପକ୍ଷରେ ପରିବାର ଅଦାଲତରେ ଦାଖଲ କାଗଜପତ୍ରରେ ଦର୍ଶାଯାଇଥିଲା ଯେ ପତ୍ନୀ ସମସ୍ତ ଟଙ୍କା ପାଇଯାଇଛନ୍ତି । ଏପରି ପରିସ୍ଥିତିରେ ପତ୍ନୀ ଜାଣିବାକୁ ପାଇଇଥିଲେ ଯେ ଅଶୋକଙ୍କ ସହ ମିଶି ତାଙ୍କ ଓକିଲ ଷଡଯନ୍ତ୍ର କରିଛନ୍ତି । ଏ ନେଇ ପାର୍ବତୀଙ୍କ ପକ୍ଷରୁ ଅଶୋକ ଓ ତାଙ୍କ ଓକିଲଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଥିଲା । ଅଭିଯୋଗ ଆଧାରରେ ୨୦୧୬ ମସିହାରେ ଖାରବେଳ ନଗର ଥାନାରେ ଆଇପିସିର ଦଫା ୨୯୪, ୩୨୩, ୩୫୪, ୪୨୦, ୪୨୭, ୪୬୮, ୪୭୧ରେ ମାମଲା ରୁଜୁ ହୋଇଥିଲା । ଏହାପରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆଇନଜୀବୀ ସଞ୍ଜୟ ନାରାୟଣ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।